ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ଼ ବଣ୍ଟନ କରାଯାଇଛି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଅନ୍ୟତମ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଶାନ୍ତ କୁମାର ଦାସ ପ୍ରମୂଖ ଉପସ୍ଥିତ ରହିଥିଲେ । ଆୟୁଷ୍ମାନ ଯୋଜନା ସମ୍ପର୍କରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟ ରଖିଥିବା ବେଳେ ବୟୋଜ୍ୟୋଷ୍ଠ ତଥା ୭୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଜନହିତକର ବୋଲି କହିଥିଲେ । ଏହି ଅବସରରେ ଅନେକ ବୟସ୍କ ବ୍ୟକ୍ତିଙ୍କୁ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ଼ ବଣ୍ଟନ କରାଯାଇଥିଲା । ନୟାଗଡ଼ ଜିଲ୍ଲାରେ ୬୦ ହଜାର ହିତାଧିକାରୀଙ୍କୁ ଏହି କାର୍ଡ଼ ବଣ୍ଟନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।






