ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲାରେ ଧାନକିଣା ଆରମ୍ଭରୁ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଲାଣି । ଚଳିତ ବର୍ଷ ଧାନ କଟା ଆରମ୍ଭ ସମୟରେ ଦୁଇଦୁଇଥର ଅଦିନିଆ ବର୍ଷା କାରଣରୁ ଧାନ ବିଲରେ ପଡି ଗଜା ହୋଇଥିବା ବେଳେ ଯାହାକିଛି ରହିଥିଲା ତାକୁ ଆଣି ମଣ୍ଡିକୁ ଯିବା ସମୟରେ ତାହା ଏଫ.ଏ.କ୍ୟୁ ମାନ ହୋଇନଥିବାରୁ ସୋସାଇଟି ଗ୍ରହଣ କରୁନାହାଁନ୍ତି । ଫଳରେ ଚାଷୀ ଧାନକୁ ନେଇ କଣ କରିବ ସେହି ଚିନ୍ତାରେ ପଡିଛି । କିଛି ସ୍ଥାନରେ ୮ ରୁ ୯ କେଜି ଧାନ କାଟି ସୋସାଇଟି ନେଉଥିବା ଦେଖାଯାଇଛି । ବାଉଁଶିଆପଡା ସୋସାଇଟିର ୮ଟି ଗାଁର ଚାଷୀମାନଙ୍କୁ ୧୦ତାରିଖରୁ ଟୋକନ୍ ମିଳିସାରିଲାଣି । ହେଲେ ସମବାୟସମିତି ଏବଂ ମିଲର୍ଙ୍କ ଟାଳଟୁଳ ନୀତି ଯୋଗୁ ଚାଷୀ ଧାନ ଆଣିଥିଲେ ମଧ୍ୟ ଏହା ଉଠି ପାରୁନାହିଁ । ଚାଷୀର ଧାନ ଏଫ୍ . ଏ . କ୍ୟୁ ମାନ ହେଉନଥିବାରୁ ତାହା ମଣ୍ଡିରେ ପଡିରହିଛି । ବିଗତ ବର୍ଷ ମାନଙ୍କରେ ସରକାର ଏଫ୍.ଏ.କ୍ୟୁ ମାନ ଧାନ କ୍ରୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଚାଷୀର ଧାନ ଉଠୁଥିଲା ହେଲେ ଏଥର କାହିଁକି ନିଆଯାଉନାହିଁ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି । ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଚାଷୀକୁଳ ହତାଶ ହେବ ବୋଲି ସେମାନେ କହିଛନ୍ତି । ଏତିପାଇଁ ଅଞ୍ଚଳର ଚାଷୀମାନେ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେପଟେ କଟନିଛଟନି ବନ୍ଦ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ଏବଂ ଚାଷୀଙ୍କ ଧାନ କିପରି ଉଠିବ ସେ ଦିଗରେ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ କହିଛନ୍ତି ।





