ପଟ୍ଟାମୁଣ୍ଡାଇ (ବାଘୁଆବାର୍ତ୍ତା): ବାତ୍ୟା ‘ୟଶ’ର ପ୍ରଭାବ ଏବେ ଦେଖିବାକୁ ମିଳିଲାଣି । ଏହି ସମୟରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦେଖିବାକୁ ମିଳିଛି ବିପଦ ବେଳର ବନ୍ଧୁ କିଏ । ଜଣେ ପୁଲିସ ଅଧିକାରୀ ହୋଇଥିବା ବେଳେ ଆଉଜଣେ ଶିକ୍ଷକ । ବାତ୍ୟା ‘ୟଶ’ ପୂର୍ବରୁ ହେଉଥିବା ସ୍ଥାନାନ୍ତର ବେଳେ ଦୁଇ ଜଣ ବୃଦ୍ଧା ଚାଲିପାରୁ ନଥିଲେ । ଏପରି ସମୟରେ ଆଇଆଇସି ଶ୍ରୀକାନ୍ତ ବାରିକ ଓ ଶିକ୍ଷକ ଦୁର୍ଜୟ ମହାରଣା ପୃଥକ ସ୍ଥାନରେ ଭାରରେ ବୃଦ୍ଧାଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟ ସ୍ଥଳକୁ ନେଇଛନ୍ତି । କରୋନା ମହାମାରୀ ଓ ବାତ୍ୟା ବେଳେ ଏପରି ମହାନତା ଦେଖାଇଥିବା ଦୁଇ ଅଧିକାରୀଙ୍କୁ ଶହେ ସଲାମ । ଆଜି ଏପରି ଚିତ୍ର କେନ୍ଦ୍ରାପଡା ଜିଲ୍ଲାରୁ ଆସିଛି । ବାତ୍ୟା ‘ୟଶ’ ର ପ୍ରଭାବ କେନ୍ଦ୍ରାପଡା ଜିଲ୍ଲାରେ ପଡିବ । ବାତ୍ୟା ଲ୍ୟାଣ୍ଡଫଲ କରିବା ପୂର୍ବରୁ ବର୍ଷା ଓ ପବନ ଆରମ୍ଭ ହେଲାଣି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି । ସମୁଦ୍ର କୂଳିଆ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ନିଆଯାଉଛି । ହେଲେ ରାଜନଗର ବ୍ଳକ ବାଘମାରୀ ଗାଁର ୯୧ ବର୍ଷୀୟା ବୃଦ୍ଧା ଅମରାବତୀ କିନ୍ତୁ କାଦୁଅ ରାସ୍ତାରେ ଚାଲି ପାରୁନଥିଲେ । ବୃଦ୍ଧାଙ୍କୁ ଭାରରେ ନେବା ପାଇଁ ୪ଜଣ ଲୋକ ଦରକାର । ଏପରି ସମୟରେ ପରିବାର ଲୋକଙ୍କ କାନ୍ଧରେ କାନ୍ଧ ମିଶାଇ ଥିଲେ ସାମୁଦ୍ରିକ ଥାନା ତାଳଚୁଆ ଆଇଆଇସି ଶ୍ରୀକାନ୍ତ ବାରିକ । ବୃଦ୍ଧାଙ୍କୁ ଭାର କରି ବାଘମାରୀ ସ୍କୁଲରେ ହୋଇଥିବା ବାତ୍ୟା ଆଶ୍ରୟ ସ୍ଥଳୀରେ ଛାଡି ଥିଲେ । ମହାମାରୀ କରୋନା ଓ ବାତ୍ୟା ବେଳେ ଆଉ ଜଣେ ବନ୍ଧୁ ହେଉଛନ୍ତି ଭେକ୍ଟା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଜୟ ମହାରଣା । ଏପରି ସମୟରେ ପ୍ରଧାନଶିକ୍ଷକ ଦୁର୍ଜୟ ମହାରଣା ବନ୍ଧୁ ସାଜିଥିଲେ । ସମ୍ପୃକ୍ତ ବୃଦ୍ଧାଙ୍କୁ ବାଉଁଶ ଝୁଲାରେ ବୋହି ବାତ୍ୟା ଆଶ୍ରୟସ୍ଥଳୀ ପହଞ୍ଚାଇଥିଲେ । ଦୁଇ ସରକାରୀ କର୍ମଚାରୀଙ୍କ ଏପରି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି ।






