ଭୁବନେଶ୍ୱର: (ବାଘୁଆବାର୍ତ୍ତା): ସମୁଦ୍ର ଧାରଣ କରିବ ଭୟଙ୍କର ରୂପ । ୟସ୍ର ପ୍ରକୋପ ଏତେ ସାଂଘାତିକ ଯେ ସ୍ଥଳଭାଗ ଛୁଇଁବା ସମୟରେ ଉତ୍ତର ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ହୋଇ କୂଳ ଲଂଘିବ । ସମୁଦ୍ରରେ ୨ରୁ ୪ ମିଟର ପାଖାପାଖି ଜୁଆର ଉଠିପାରେ । ବାଲେଶ୍ୱରରେ ସମୁଦ୍ରରେ ସବୁଠୁ ଉଚ୍ଚ ଜୁଆର ଆସିବା ଆଶଙ୍କା ରହିଛି । ତେବେ ଭଦ୍ରକରେ ୟସ୍ ପ୍ରଭାବରେ ସମୁଦ୍ର ୭ କିମି ପର୍ୟ୍ୟନ୍ତ ଆଗକୁ ମାଡ଼ି ଆସିପାରେ । ଏଭଳି ଆଶଙ୍କା ଦେଖାଇଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ସମୁଦ୍ର ଜୁଆର ନେଇ ଜାରି କରିଥିବା ସତର୍କ ସୂଚନାରେ ପୂର୍ବାନୁମାନ କରିଛି, ବାତ୍ୟା ସ୍ଥଳଭାଗ ଛୁଇଁବାବେଳେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୨ରୁ ୪ ମିଟର ଉଚ୍ଚ ଜୁଆର ଉଠିପାରେ ସମୁଦ୍ରରେ । ବାଲେଶ୍ୱରର କୁମ୍ଭୀରଗାରୀରେ ୨.୧ରୁ ୩.୮ ମିଟର ଉଚ୍ଚ ଜୁଆର ଆଶଙ୍କା ଅଛି । ଅର୍ଥାତ୍ ୬.୮ ଫୁଟରୁ ୧୨.୪ ଫୁଟ ଉଚ୍ଚ ଜୁଆର ଉଠିବ ସମୁଦ୍ରରେ । ଏଠାରେ ଜୁଆର ଅଢ଼େଇ କିଲୋମିଟର ପାଖାପାଖି ଆଗକୁ ମାଡ଼ି ଆସିପାରେ । କୁମ୍ଭୀରଗିରି ବାଲେଶ୍ୱରର ଚାନ୍ଦିପୁର ପାଖାପାଖି ରହିଛି, ଏହା ପାଖକୁ ରହିଛି ସୁବର୍ଣ୍ଣରେଖା । ଭଦ୍ରକର ମୋହନପୁର ପାଖରେ ୩ ଫୁଟରୁ ୬.୮ ଫୁଟ ଉଚ୍ଚ ଜୁଆର ଉଠିପାରେ ସମୁଦ୍ର । ବାସୁଦେବପୁର ଓ ଇଞ୍ଚୁଡ଼ି ମଝିରେ ରହିଛି ମୋହନପୁର । ଚିନ୍ତାର ବିଷୟ ହେଲା, ଏଠାରେ ସମୁଦ୍ର ଜୁଆର ୭ କିମି ପର୍ୟ୍ୟନ୍ତ ଆଗକୁ ମାଡ଼ି ଯାଇପାରେ । ଏମିତି ହେଲେ ଭୟଙ୍କର ସ୍ଥିତି ଉପୁଜିବ । କେନ୍ଦ୍ରାପଡ଼ାର ଭିତରକନିକା ଓ କନିକା ଦ୍ୱୀପ ପାଖ ଟିକାୟତନଗରରେ ସମୁଦ୍ର ଜୁଆର ୫ ଫୁଟ ପାଖାପାଖି ଉପରକୁ ଉଠିପାରେ ।ଏହା ପ୍ରଭାବରେ ସମୁଦ୍ର ଅଢ଼େଇ କିମିରୁ ଅଧିକ ଆଗକୁ ମାଡ଼ିଯାଇପାରେ । ଏଭଳି ସତର୍କ ସୂଚନାକୁ ନେଇ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିବା ସହ ସମୁଦ୍ର ପାଖ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା ବ୍ୟବସ୍ଥା କରାଯାଇଛି ।






