ବାରଙ୍ଗ, (ବାଘୁଆବାର୍ତ୍ତା): ବାରଙ୍ଗ ଷ୍ଟେସନ ସମ୍ମୁଖ ରେଳଲାଇନ ଓଭର ବ୍ରିଜରୁ ଜଳାଶୟକୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଚନ୍ଦକା ଥାନା ଅନ୍ତର୍ଗତ ଶିମିଳିପାଟଣାର ମାନସ ବେହେରା (୩୫) । ସେ ସ୍ଥାନୀୟ ଅଞ୍ଚଳରେବୁଲାବୁଲି କରନ୍ତି । ବୁଧବାର ଅପରାହ୍ନରେ ରେଳଲାଇନ ଓଭର ବ୍ରିଜରେ ଚାଲି ଚାଲି ଯିବା ସମୟରେ ତଳେ ଥିବା ଜଳାଶୟରେ ପଡିଯାଇଥିଲେ । ତାଙ୍କ ପାଟି ଶୁଣି କିଛି ଲୋକ ଉଦ୍ଧାର କରି ଜଳାଶୟ ନିକଟ ମୋଚିସାହି ରାସ୍ତା କଡରେ ବସାଇଥିଲେ । କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାଟି ନନ୍ଦନକାନନ ଓ ବାରଙ୍ଗ ଥାନାର ମଧ୍ୟଭାଗରେ ହୋଇଥିବାରୁ ଦୁଇ ଥାନାର ଗାଡି ଆସି ପହଁଞ୍ଚିଥିଲା । କେଉଁ ଥାନା ନେବ ସେଥିପାଇଁ ପ୍ରାୟ ଦୁଇଘଣ୍ଟା ମୃତଦେହ ପଡ଼ିରହିବା ପରେ ନନ୍ଦନକାନନ ଥାନା ପୁଲିସ ମୃତଦେହ ଜବତ କରିଥିଲା । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।





