ନୟାଗଡ଼,(ବାଘୁଆବାର୍ତ୍ତା): ବନ୍ଧୁକ ମୁନରେ ୩୦ ମେଣ୍ଢା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନାନୁସାରେ, ଗତକାଲି ବର୍ଷା ରାତିର ସୁଯୋଗ ନେଇ କିଛି ଦୁର୍ବୁତ୍ତ ନୟାଗଡ଼ ଇଟାମାଟି ଥାନା ବିରୁଡ଼ା ପଂଚାୟତର ବାଘେରା ଗ୍ରାମରେ ଏଭଳି କାଣ୍ଡ ଘଟାଇଥିବା ଜଣାଯାଇଛି । ବାଘେରା ଗ୍ରାମର ମେଣ୍ଢା ଚାଷୀ ପତିଆ ପରିଡ଼ାଙ୍କ ଗୁହାଳରେ ଜଣେ ବୃଦ୍ଧ ବ୍ୟକ୍ତି ଶୋଇଥିବା ବେଳେ ଦୁର୍ବୁତ୍ତମାନେ ଏକ ବୋଲେରୋ ଗାଡ଼ିରେ ପହଂଚିଥିଲେ । ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ମେଣ୍ଢା ଗୁଡ଼ିକୁ କିଛି ନିଶା ଦ୍ରବ୍ୟ ଶୁଂଘାଇ ଦେବା ସହ ବୃଦ୍ଧ ବ୍ୟକ୍ତିଙ୍କ ମୁଣ୍ଢରେ ବନ୍ଧୁକ ଲଗାଇ ପାଟି ଚୁପ କରିବାକୁ ଧମକ ଦେଇଥିଲେ । ପରେ ବୋଲେରୋ ଭିତରେ ମେଣ୍ଢାକୁ ଲଦି ନେଇ ଚାଲି ଯାଇଥିବା ଜଣାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ବେଳେ ଘଟଣାକୁ ସଂପୃକ୍ତ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଗ୍ରାମବାସୀମାନେ ରାତି ତମାମ୍ ମେଣ୍ଢା ଚୋରୀ ଘଟଣାର ଖୋଳତାଡ଼ କରୁଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତ ନବବର୍ଷ ସମୟରେ ବାଣିଗୋଚ୍ଛା, ଦଶପଲ୍ଲା ଅଂଚଳରେ ସମାନ ଢଙ୍ଗରେ, ସମାନ ଭାବରେ ଛେଳି ମେଣ୍ଢା ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଜିଲ୍ଲାରେ ଛେଳି, ମେଣ୍ଢା ଚୋରୀ କରିବା ପାଇଁ ଏକ ର୍ୟାକେଟ୍ କାମ କରୁଥିବା ଚର୍ଚ୍ଚା ହେଉଛି । ବାରମ୍ବାର ଏଭଳି ଚୋରୀ ହେବା ଦ୍ୱାରା ଚାଷୀମାନେ ସର୍ବଶାନ୍ତ ହେବା ସହ କାନମୁଣ୍ଡା ଆଉଁଷି ରହୁଥିବା ଜଣାଯାଇଛି ।






