ନୟାଗଡ଼,(ବାଘୁଆବାର୍ତ୍ତା): ଦୀର୍ଘ ୩୦ ବର୍ଷ ପରେ ଏକାଠି ହେଲେ ସାଙ୍ଗସାଥି । ହସ, ଖୁସି ସାଙ୍ଗକୁ ନାଚ ଗୀତ ଓ ଭୋଜିଭାତ କରିବା ନିଆରା ମଜ୍ଜା ପାଇଲେ । ଆଜି ନୟାଗଡ଼ ସଦରବ୍ଲକ୍ ଅନ୍ତର୍ଗତ ବିରୁଡ଼ା କାଳନ୍ଦୀ ସୁରୁଜ ବିଦ୍ୟାପୀଠରେ ଅଧ୍ୟୟନ କରୁଥିବା ୧୯୯୧ ମସିହା ମେଟ୍ରିକ୍ ବ୍ୟାଚ୍ର ଛାତ୍ରଛାତ୍ରୀମାନେ ଏକାଠି ହୋଇ ନିରଡ଼ାମ୍ବର ଭାବେ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ପୁରାତନ ଛାତ୍ରଛାତ୍ରୀମାନେ ପୁରାତନ ଶିକ୍ଷକମାନଙ୍କୁ ନିମନ୍ତ୍ରିତ କରି ସମ୍ବର୍ଦ୍ଧିତ କରିଥିଲେ । ପୂର୍ବତନ ପ୍ରଧାନଶିକ୍ଷକ ମୀନକେତନ ନାୟକ, ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣମୋହନ ସାହୁ, ଶିକ୍ଷକ ବୃନ୍ଦାବନ ପରିଡ଼ା, ଦାଶରଥି ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ମଧୁର ଆଲୋଚନା ହୋଇଥିଲା । ଲଟାଚଣ୍ଡି ପୀଠଠାରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୭୦ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସହ ସାମିଲ ହୋଇଥିଲେ ।





