ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଜିଲ୍ଲାର ୭ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର କାଠ ଜବତ କରାଯାଇଛି । ନୟାଗଡ଼ ବନାଞ୍ଚଳର ୩ଟି ସ୍ଥାନ, ପଞ୍ଚରିଡ଼ା ବନାଞ୍ଚଳର ୨ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣାଯାଇଛି । ସୂଚନାନୁସାରେ, ଦଶପଲ୍ଲା ଦୁର୍ଗାବଜାର କଲୋନୀ ବିଜୟ ମହାରଣାଙ୍କ ଘରେ ଚଢ଼ାଉ କରାଯାଇ ୩ ଶହ ସିଫ୍ଟ କାଠପଟା ଜବତ କରାଯାଇଛି । ଡିଏଫ୍ଓ ଧନରାଜ୍ ଏଚ୍.ଡି, ସ୍ଥାନୀୟ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡ ଏବଂ ଦଶପଲ୍ଲା ପୁଲିସ ମିଳିତ ଭାବେ ଚଢ଼ାଉ କରିଛନ୍ତି । ସେହିଭଳି ଭାବେ ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ଟାକେରା ଅଞ୍ଚଳରୁ ଆଜି ବୋଲେରୋ ଯୋଗେ ଶାଳ ଲଗ ଚାଲାଣ କରିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଦଶପଲ୍ଲା ବନବିଭାଗ ଗିରଫ କରିବା ସହ ବୋଲେରୋ ଜବତ କରିଛି । ଏହି ଦୁଇ ଜଣ ବ୍ୟକ୍ତି ହେଲେ କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ରତାପାଟ ଗ୍ରାମର ପ୍ରଭାତ ପ୍ରଧାନ, ଖଣ୍ଡପଡ଼ା ଥାନା କୁମ୍ଭାରପଡ଼ା ଗ୍ରାମର ମହେନ୍ଦ୍ର ପଣ୍ଡା । ନୟାଗଡ଼ ବନାଞ୍ଚଳ ଅନ୍ତର୍ଗତ ତୁଳସୀପୁର ଏବଂ ବାରପଲ୍ଲା ଗ୍ରାମରୁ ଆଜି ବିପୁଳ ପରିମାଣର କାଠ, ପଟା ଜବତ କରାଯାଇଛି । ତୁଳସୀପୁର ଗ୍ରାମର ମୋହନ ଦାଶଙ୍କ ପୁଅ ଭଗବାନ ଦାଶଙ୍କ ଘରେ ପଟା ଏବଂ ତାଙ୍କ ବାରିରୁ ଲଗ ଜବତ କରାଯାଇଛି । ସେହିଭଳି ଭାବେ ବାରପଲ୍ଲା ଗ୍ରାମର କିଛି ଲୋକଙ୍କ ବାରିରୁ ମଧ୍ୟ କାଠ ଜବତ କରାଯାଇଛି । ସେହିଭଳି ଭାବେ ନୟାଗଡ଼ ବନାଞ୍ଚଳ ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମରେ ଚଢ଼ାଉ କରାଯାଇ ଦୁଇଟି ଶାଳ ଲଗ ଜବତ କରାଯାଇଥିବା ସୂଚନା ମିଳିଛି । ପଞ୍ଚରିଡ଼ା ବନାଞ୍ଚଳ କଜ୍ଜଳାଇପଲ୍ଲୀ ବେଲଗଡ଼ି ଜଙ୍ଗଲ ରାସ୍ତାରୁ ସାଇକେଲ ଯୋଗେ କାଠ ଚାଲାଣ କରୁଥିବା ବେଳେ ବନକର୍ମଚାରୀମାନେ ୩ଟି ସାଇକେଲ, ୩ଟି ଶାଳ ଲଗ ଏବଂ ଜଣଙ୍କୁ ଗିରଫ କରିଛନ୍ତି । ଗୋଲଗାଁର ରାମ ନାୟକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସେହିଭଳି ଭାବେ ପଞ୍ଚରିଡ଼ା ବନକର୍ମଚାରୀମାନେ ହରିହରପୁର ଗ୍ରାମରେ ଚଢ଼ାଉ କରି ୮୦ ହଜାର ଟଙ୍କା ମୁଲ୍ୟର ଶାଗୁଆନ ପଟା ଜବତ କରିଛନ୍ତି । ଉକ୍ତଗ୍ରାମର ପ୍ରଭାତ ସ୍ୱାଇଁ ବେଆଇନ କାଠ କାରବାର କରୁଥିବା ସୂଚନା ପାଇ ଚଢ଼ାଉ କରାଯାଇଥିବା ବେଳେ ସେ ଫେରାର ହୋଇଯାଇଛନ୍ତି ।





