ବାଲିପାଟଣା, (ବାଘୁଆବାର୍ତ୍ତା): ଥାନା ଭିତରେ ଯୁବକଙ୍କୁ ମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଥାନା ଭିତରେ ମରଣାତ୍ମକ ଆକ୍ରମଣ ହୋଇଛି । ଯେଉଁଥିରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ପରିସରରେ ଏଭଳି ଘଟଣା ଘଟିଛି । ଖବର ଅନୁଯାୟୀ, ଶନିବାର ରାତି ପ୍ରାୟ ୧୦ ଟାରେ ମୁଦୁଲି ସାହିର ଚିତ୍ତରଞ୍ଜନ ମୁଦୁଲି ଘରକୁ ଫେରିଥିଲେ । ଏହି ସମୟରେ ୩ଜଣ ଯୁବକ ପୂର୍ବଶତ୍ରୁତାରୁ ଚିତ୍ତରଞ୍ଜନଙ୍କୁ ଥାନା ନିକଟରେ ମାଡ ମାରିଥିଲେ । ଚିତ୍ତରଞ୍ଜନ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରି ଥାନା ପରିସରକୁ ଦୌଡି ଆସିଥିଲେ । ହେଲେ ଥାନା ପରିସରରେ ତିନି ଜଣ ଯୁବକ ମାଡ ମାରି ଲହୁଲୁହାଣ କରିବା ସହ ଏକ ଇଟାରେ ଚିତ୍ତରଞ୍ଜନଙ୍କ ମୁହଁକୁ ଛେଚି ଦେଇଥିଲେ। ସେପଟେ ପୋଲିସ ଘଟଣାରେ ଦୁଇ ଜଣ ଯୁବକଙ୍କୁ କାବୁ କରିବା ପରେ ଥାନାରେ ଅଟକ ରଖିଛି । ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛି ।





