ବାଲିପାଟଣା, (ବାଘୁଆବାର୍ତ୍ତା): ଏକ ତରଫା ପ୍ରେମରୁ ବ୍ଲାକ୍ ମେଲିଂ । ପରେ ନାବାଳିକା କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା । ବାଲିପାଟଣା ଥାନା ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଘଟଣାରେ ବାଲିପାଟଣା ପୋଲିସ ୨ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସୂଚନାଯୋଗ୍ୟ ଯେ, ବାଲିପାଟଣା ଥାନା ରାଜସ ଗ୍ରାମର ଜଣେ ଯୁବକ ବାଲିପାଟଣା ଅଞ୍ଚଳର ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ । ଯୁବତୀ ଜଣଙ୍କ ରାଜି ନହେବାରୁ ତାଙ୍କର କିଛି ଏଡ଼ିଟେଡ୍ ଅଶ୍ଲୀଳ ଫଟୋ ଦେଖାଇ ଚାପ ପକାଇଥିଲେ । ଏଥିରେ ଯୁବତୀ ଜଣଙ୍କ ଅତିଷ୍ଠ ହୋଇ ମଙ୍ଗଳବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଗ୍ରାମବାସୀ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ରେଫର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।





