ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ଗଦାଧରପ୍ରସାଦ ପଞ୍ଚାୟତ ଅଧିନରେ ଥିବା ବାଲିକୁଦିଆ ଗ୍ରାମରେ ୩ଦିନ ଧରି ବାଦିପାଲା ଅନୁଷ୍ଠିତ ହୋଇଥିଲା । ବାଦିପାଲାର ଅନ୍ତିମ ଦିନରେ ପାଲା ପରିବେଷଣ ହେବା ପୂର୍ବରୁ ପାଲାମଣ୍ଡପରେ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୂଚନାନୁସାରେ, କଳା, ସଂସ୍କୃତି ଓ ଐତିହ୍ୟକୁ ଉଜ୍ଜିବିତ କରିବା ପାଇଁ ପାଲାର ପ୍ରଚାର ପ୍ରସାର ପାଇଁ ବାଲିକୁଦିଆ ଗ୍ରାମରେ ବାଦିପାଲା ପରିବେଷଣ ସହ କଳସଯାତ୍ରା ଏବଂ ସତ୍ୟନାରାୟଣଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ବାଦିପାଲାର ଅନ୍ତିମ ଦିନର ଥାକ ପରିବେଷଣ ହେବା ପୂର୍ବରୁ ଗାଁର କୁନି କୁନି ଛାତ୍ରଛାତ୍ରୀ ଓ ଦର୍ଶକପ୍ରେମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଗାଁର ଉଦ୍ୟମରେ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ପ୍ରକୃତିବନ୍ଧୁ ମାନସ ରଂଜନ ବଳବନ୍ତରା ସଂଯୋଜନା କରିଥିବା ବେଳେ ସଠିକ୍ ଉତ୍ତର ଦେଉଥିବା ଉତ୍ତରଦାତାମାନଙ୍କୁ ବିଭିନ୍ନ ପ୍ରକାରର ପୁରଷ୍କାର ପ୍ରଦାନ କରାଯାଇଥିଲା । ବାଦିପାଲା କମିଟିର ସଭାପତି ପଠାଣି ପ୍ରଧାନ, ପାଲା ସଂଯୋଜକ ଗୋପବନ୍ଧୁ ସେଠି, କୋଷାଧ୍ୟକ୍ଷ ପ୍ରଭାତ କୁମାର ପ୍ରଧାନ, ପୂର୍ବତନ ସଭାପତି କାର୍ତ୍ତିକ ସ୍ୱାଇଁ ପ୍ରମୁଖ ସୂଚାରୁ ରୂପେ ପରିଚାଳନା କରିଥିଲେ ।






