ନୟାଗଡ଼, (ବାଘୁଆବାର୍ତ୍ତା): ଲଘୁଚାପ ଜନିତ ବର୍ଷାରେ ଲୁଣିଝରା ନଦୀ ଜଳସ୍ତର ବଢିବାରେ ଲାଗିଛି । ଲୁଣିଝରା ନଦୀର ଦୁଇପାଶ୍ୱର୍ରେ ଥିବା ନଦୀବନ୍ଧ ଦୁର୍ବଳ ଥିବା ଯୋଗୁଁ ଦୁଇ ପାଶ୍ୱର୍ରେ ଥିବା ଗାଁ ଗୁଡିକ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ବେଳେ ବାଲିକୁଦିଆ ଗାଁ ବିପଦରେ ପଡିଯାଇଛି । ସୂଚାନୁସାରେ, ନୟାଗଡ଼ ଜିଲ୍ଲାରେ ଲଘୁଚାପ ଜିନତ ବର୍ଷା ଦୀର୍ଘ ୫ଦିନ ହେଲା ଲାଗି ରହିଥିବା ଯୋଗୁଁ ସମସ୍ତ ନଦୀରେ ଜଳସ୍ତର ବଢିଛି । ତେବେ ଶନିବାର ରାତି ସାରା ବର୍ଷା ହେବାଫଳରେ ନୟାଗଡ଼ ସଦର ବ୍ଲକ୍ ଅଞ୍ଚଳ ଦେଇ ବହିଯାଇଥିବା ଲୁଣିଝରା ନଦୀର ଦୁଇକୁଳ ଖାଇ ବନ୍ୟାଜଣ ବହିଯାଉଥିବା ଦେଖିବାକୁ ମିଳିଛି । ଗଦାଧର ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ବାଲିକୁଦିଆ ଗ୍ରାମ ନିକଟ ଦେଇ ଯାଇଥିବା ଲୁଣିଝରା ନଦୀର ବାଲିକୁଦା ଗାଁ ପଟ ସାଇଟର ନଦୀ ବନ୍ଧ ଦୁର୍ବଳ ଥିବା ଯୋଗୁଁ ଘାଇ ସୃଷ୍ଟି ହୋଇ ୧୦୦ମିଟର ନଦୀ ବନ୍ଧ ଭାଙ୍ଗି ଯାଇ ବନ୍ୟାଜଳ ଗାଁ ମୁଖା ବୋହି ଯାଇଥିବା ଦେଖିବାକୁ ମିଳିଛି ।

ତେବେ ନଦୀ ବନ୍ଧ ଦୁର୍ବଳ ଥିବା ନେଇ ବାଲିକୁଦିଆ ଗ୍ରାମବାସୀଙ୍କ ତରଫରୁ ନଦୀବନ୍ଧ ନିର୍ମାଣ କାର୍ଯ୍ୟ କରିବା ପାଇଁ ନୟାଗଡ଼ ଜଳସେଚନ ଡିଭିଜନ୍ କାର୍ଯ୍ୟାଳୟରେ ଗୁହାରୀ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଯାହାଫଳରେ ଆଜି ଲୁଣିଝରା ନଦୀରେ ଘାଇ ସୃଷ୍ଟି ହୋଇ ବନ୍ଧ ଭାଙ୍ଗିବା ଓ ଗ୍ରାମବାସୀ ଭୟବୀତ ଅବସ୍ଥା ଭଳି ପରିସ୍ଥିତ ସୃଷ୍ଟି ହୋଇଛି । ନଦୀବନ୍ଧ ଭାଙ୍ଗିଯିବା ଫଳରେ ଶହ ଶହ ହେକ୍ଟର ଚାଷ ଜମିରେ ବାଲିଚର ହେବାର ସହ ଫସଲ ନଷ୍ଟର ହେବାର ସମ୍ଭାବନା ରହିଛି ବୋଲି ବିଶେଷ ସୁତ୍ରରୁ ପଡିଛି ।





