ପୁରୀ, (ବାଘୁଆବାର୍ତ୍ତା): ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଦାଦାଙ୍କ ଭୁଜାଲି ମାଡ଼ରେ ପୁତୁରା ଗୁରୁତର ହୋଇଛନ୍ତି । ଭୁଜାଲି ମାଡର ଶିକାର ହୋଇଥିବା ପୁତୁରା ହେଉଛନ୍ତି ଶିବ ବେହେରା । ଚିକିତ୍ସା ପାଇଁ ଶିବଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଡ଼ାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି । ଛୁରା ମାଡ଼ରେ ଶିବ ପେଟରୁ ଅନ୍ତବୁଜୁଳା ବାହାରି ଯାଇଥିବା ଦେଖିବାକୁ ମିଳିଛି । ଗତ ବୁଧବାର ବିଳମ୍ୱିତ ରାତିରେ ଉଭୟ ଦାଦା-ପୁତୁରାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଲାଗିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦାଦା ଶଙ୍କର ବେହେରା ତାଙ୍କ ପୁତୁରା ଶିବ ବେହେରାଙ୍କୁ ଏଭଳି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଅଭିଯୁକ୍ତ ଦାଦା ଫେରାର ଥିବାବେଳେ ପୋଲିସ ଟିମ୍ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।





