ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସ୍ୱପ୍ନ ବଲାଙ୍ଗିପାର୍କ ଧିରେ ଧିରେ ବାସ୍ତବ ଋପ ନେବାକୁ ବସିଛି । ଜଳାଶୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ପଥରପ୍ୟାଚିଂ କାମ ଶେଷ ହୋଇଛି । ଚାରି ପଟରେ ଓସାରିଆ ମାଟି ରାସ୍ତା ନିର୍ମାଣ ସରିଥିବା ଦେଖାଯାଇଛି । ୱାଚ ଟାୱାର ନିର୍ମାଣ ସରିଛି । ବୃକ୍ଷରୋପଣ କାମ ଆରମ୍ଭ ହୋଇସାରିଛି । ଆକ୍ୱାରିୟମ କାର୍ଯ୍ୟ ଚାଲିଛି । ଔଷଧିୟ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ସ୍ଥାନ ଚିହ୍ନଟ ହୋଇ ଘାସ ଲଗା ସରିଛି । ବଲାଙ୍ଗିପାର୍କ ଜଳାଶୟକୁ ଜଳ ପଶିବା ପାଇଁ ୧୪ ଫୁଟିଆ ସ୍ୱରେଜ ବ୍ୟବସ୍ଥା କରାଯାଇଥିବା ବେଳେ ନିଷ୍କାସନ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ପାର୍କ ପରିସରରେ ଜଳ ଫୁତକାର ପାଇଁ ବୋରୱେଲ୍ ଏବଂ ପମ୍ପ ହାଉସ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ନୟାଗଡ଼ ସଂଗ୍ରାହଳୟ ପାଇଁ ସ୍ଥାନ ମଧ୍ୟ ଚିହ୍ନଟ ସରିଛି । ପାର୍କ ଦୁଇ ପାଖରେ ରହିଥିବା ପାହାଡ଼ରୁ ବହି ଆସୁଥିବା ବର୍ଷା ଜଳକୁ ଜଳାଶୟ ଭିତରେ ପ୍ରବେଶ କରିବାକୁ ଡ୍ରେନ ବ୍ୟବସ୍ଥା ମଧ୍ୟ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ପାର୍କ ପରିସରରେ ବହୁତ ସୁନ୍ଦର ପଥର ମୂର୍ତ୍ତୀ ନିର୍ମାଣ କରାଯାଉଛି । ବଡ଼ ବଡ଼ ପଥର କାରୁକାର୍ଯ୍ୟ ମଧ୍ୟ କରାଯାଉଛି । ପୈାର ପାଳିକା ପକ୍ଷରୁ ପାର୍କ ପରିସରରେ ଆଲୋକିକରଣ କାର୍ଯ୍ୟ ସରିଥିବା ବେଳେ ପାର୍କକୁ ନେଇ ରହିଥିବା ପରିକଳ୍ପନା ଏବେ ବେଶ ବାରି ହୋଇପଡ଼ୁଛି । ଏଥିସହିତ ପର୍ଯ୍ୟଟକଙ୍କ ପାଇଁ ପାହାଡ଼ ଉପରେ କଟେଜ ନିର୍ମାଣ କରାଯିବା ନେଇ ଯୋଜନା ରହିଥିବା ମଧ୍ୟ ଜଣାଯାଇଛି । ଏସବୁକୁ ଲକ୍ଷ କଲେ ବଲାଙ୍ଗିପାର୍କ ବିଶ୍ୱସ୍ତରୀୟ ହେବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି । ୨୦୦୪ ମସିହାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ମନ୍ତ୍ରୀ ଅରୁଣ ବଲାଙ୍ଗୀବନ୍ଧଠାରେ ଏକ ପାର୍କ ନିର୍ମାଣ କରିବାକୁ ନୟାଗଡ଼ ବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ଏନେଇ ବାରମ୍ବାର ବିଭିନ୍ନ ସଭାସମିତିରେ ତାଙ୍କ ଅଭିଭାଷଣରେ କହି ଆସୁଥିଲେ । ଯାହାର ବାସ୍ତବରୂପ ଖୁବଶୀଘ୍ର ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ଏହି ପାର୍କ ହିଁ ଦିନେ ନୟାଗଡ଼କୁ ସ୍ୱତନ୍ତ୍ର ପରିଚୟ ଦେବ ବୋଲି କୁହାଯାଇପାରେ । ପାର୍କ ନିର୍ମାଣ ସରିଲେ, ଏହା ନୟାଗଡ଼ ପର୍ଯ୍ୟଟନ ଶିଳ୍ପରେ ଏକ ମାଇଲ ଖୁଣ୍ଟ ସୃଷ୍ଟି କରିବ ।





