ନୟାଗଡ଼,(ବାଘୁଆବାର୍ତ୍ତା): ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣକୁ ଦୀର୍ଘ ୪ବର୍ଷ ଧରି ବିବାଦ ଲାଗି ରହିଛି । ଏହି ବିବାଦର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଗୁଡୁପାଙ୍ଗି ଗାଁ ପ୍ରଶାସନକୁ ଅସହଯୋଗ କରୁଥିବା ଜଣାପଡିଛି । ଯାହାଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ଗଠନ କରାଯାଇ ଏହି ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିବା ବେଳେ ଆଜି ତାହା ବିଫଳ ହୋଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଢା ହୋଇଥିବା ଶାନ୍ତି କମିଟି ବାରମ୍ବାର ବୈଠକ କରି ସମାଧାନ କରିବା ପାଇଁ ଆଜି ଶେଷ ବୈଠକ ଥିଲା । ଏଥିରେ ୧୭ଖଣ୍ଡ ମୌଜାର ଲୋକ ଯୋଗ ଦେଇଥିବା ବେଳେ ଗୁଡୁପାଙ୍ଗି ଗ୍ରାମବାସୀ ବୈଠକକୁ ଆସିନଥିବା ଜଣାଯାଇଛି । ଜିଲ୍ଲା ଶାନ୍ତି କମିଟି ପକ୍ଷରୁ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଆୟୋଜିତ ବୈଠକରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଅବସର ପ୍ରାପ୍ତ ଭିଜିଲାନ୍ସ ଏସପି ଅମୂଲ୍ୟ କୁମାର ମହାନ୍ତି, ଅବସର ପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ଦାସ, ଡ. ସିଦ୍ଧାର୍ଥ ଦାସ, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ, ସମାଜସେବୀ ରଜତ କୁମାର ପଟ୍ଟନାୟକ, ନୟାଗଡ଼ ବାର ଆସୋସିଏସନ ସଭାପତି ବିପିନ କୁମାର ଧଳ, ବାର ଆସୋସିଏସନ ସଂପାଦକ କାଳୁଚରଣ ସ୍ୱାଇଁ, ସମାଜସେବୀ ଅରୁଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ସାମ୍ବାଦିକ ରାମକୃଷ୍ଣ ରଥ ସଭା ପରିଚାଳନା କରିଥିଲେ ।





