ବାହାନଗା, (ବାଘୁଆବାର୍ତ୍ତା): ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଚାଲିଛି। ଦିନବେଳେ ଲୋକଙ୍କୁ ଅଟକାଇ ମାଡ଼ ମାରି ଲୁଟ କରୁଛନ୍ତି। ପୋଲିସଶାସନ ଯେପରି ନୀରବ ପଡ଼ିଛି। ବାହାନଗା ରେଳ ଷ୍ଟେସନ ସୁପରିଣ୍ଟେଣ୍ଡଣ୍ଟ ଗତକାଲି ମଧ୍ୟରାତିରେ ଡ୍ୟୁଟି ସାରି ସୋରକୁ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ସୋର ଥାନା ଦହିସଡ଼ା ହନୁମାନ ମନ୍ଦିର ନିକଟରେ ଚାରିଜଣ ଦୁର୍ବୃତ୍ତ ୨ଟି ବାଇକ୍ରେ ତାଙ୍କୁ ଅଟକାଇ ଭୁଜାଲିରେ ହାଣି ତାଙ୍କ ନିକଟରୁ ଟଙ୍କା ଏବଂ ମୋବାଇଲ ଲୁଟି ନେଇଥିବା ସୋର ଥାନାରେ ଅଭିଯୋଗ ହୋଇଛି । ଗତକାଲି ରାତି ୧୧. ୩୦ ମିନିଟ ସମୟରେ ଷ୍ଟେସନ ସୁପରିଣ୍ଟେଣ୍ଡଣ୍ଟ ଜିତେନ୍ଦ୍ର କୁମାର ନାୟକ ବାହାନଗା ଷ୍ଟେସନରୁ ତାଙ୍କର ସିଫ୍ଟ ଡ୍ୟୁଟି ସାରି ନିଜ ବାଇକ୍ରେ ଫେରୁଥିଲେ । ଏହି ସମୟରେ ଦହିସଡ଼ା ମଡର୍ଣ୍ଣ ହୋଟେଲ ନିକଟରେ ନମ୍ବରବିହୀନ ଗୋଟିଏ ବୁଲେଟ ଏବଂ ଗୋଟେ ପଲସର ବାଇକ୍ରେ ୪ ଜଣ ଦୁର୍ବୃତ୍ତ ତାଙ୍କ୍ ପିଛା କରିଥିଲେ । ଦହିସଡ଼ା ହନୁମାନ ମନ୍ଦିର ଟିକିଏ ପୂର୍ବରୁ ସେମାନେ ଜିତେନ୍ଦ୍ରଙ୍କ ଆଗରେ ବାଇକ୍ ଅଟକାଇ ଭୁଜାଲିରେ ତାଙ୍କ ମୁଣ୍ଡକୁ ଚୋଟ ପକାଇଥିଲେ । ଏହି ସମୟରେ ସେ ମୁଣ୍ଡରେ ହେଲମେଟ ପିନ୍ଧିଥିବାରୁ ହେଲମେଟଟି ଭାଙ୍ଗି ଯାଇଥିବା ବେଳେ ତାଙ୍କୁ କୋଣସି ଆଘାତ ଲାଗି ନଥିଲା । ତାଙ୍କ ନିକଟରୁ ତାଙ୍କ ମୋବାଇଲ, ୧୫୦୦ ଟଙ୍କା ସହ ପର୍ସ ଏବଂ ବ୍ୟାଙ୍କ ପାସ ବହି ଛଡ଼ାଇ ନେବା ସହ ମାଡ଼ ମାରି ବାଇକ୍ର ଚାବି ନେଇ ପଳାଇଥିଲେ।





