ସୁନ୍ଦରଗଡ଼,(ବାଘୁଆବାର୍ତ୍ତା): ବଡ଼ଗାଁ ଥାନା ଅଞ୍ଚଳରେ ସୁନା ଦୋକାନୀଙ୍କୁ ଗୁଳିକରି ହତ୍ୟା ଏବଂ ଲୁଟ ମାମଲାର ରହସ୍ୟ ଆଜି ପୁଲିସ ଖୁଲାସା କରିଛି । ବିହାର, ଝାଡ଼ଖଣ୍ଡ ରାଜ୍ୟର ୪ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ୍ କରାଯାଇଥିବା ବେଳେ ସେମାନଙ୍କ ଠାରୁ ବ୍ୟବହୃତ ବନ୍ଧୁକ, ଗୁଳି, ୩୦୦ଗ୍ରାମ ସୁନା, ନଗଦ ୨.୭୫ଲକ୍ଷ ଟଙ୍କା ଜବତ କରିଛି ପୁଲିସ । ପୁଲିସର ସୂଚନାନୁସାରେ, ଚଳିତ ମାସ ୧ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଅଞ୍ଚଳର ସୁନା ଦୋକାନୀ ରୋହିତ କୁମାର ବର୍ମାଙ୍କୁ ୩ଜଣ ଦୁବୃତ ଏକ ବାଇକରେ ଆସି ଗୁଳି କରିବା ସହ ସୁନା ଗହଣା ଲୁଟି ନେଇଥିଲେ । ତେବେ ଘଟଣାସ୍ଥଳରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିଲା । ଏନେଇ ବଡ଼ଗାଁ ପୁଲିସ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେଥିପାଇଁ ୩ଟି ସ୍ୱତନ୍ତ୍ର ଟିମ ଗଠନ କରି ଅପରାଧିଙ୍କୁ ଗିରଫ କରିବା ପାଇଁ ଖସଡା ପ୍ରସ୍ତୁତ କରିଥିଲା । ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ମିଳିତ ଟାସ୍କଫୋର୍ସ, ସ୍ଥାନୀୟ ପୁଲିସ ଏବଂ ସାଇବର ଟିମକୁ ନେଇ ୩ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅପରାଧିଙ୍କୁ ଧରିବାକୁ ଯୋଜନା କରାଯାଇଥିଲା । ଘଟଣା ଘଟିବାର ୯ଦିନ ପରେ ବିହାର ଏବଂ ଝାଡ଼ଖଣ୍ଡ ପୁଲିସ ସହାୟତାରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ତାକୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ । ଉକ୍ତ ଗ୍ୟାଙ୍ଗଟି ଡକାୟତ କରିବାରେ ସକ୍ରିୟ ଥିବାବେଳେ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧରକ ମାମଲା ରହିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି ।