ନୂଆଦିଲ୍ଲୀ (ବାଘୁଆବାର୍ତ୍ତା) କରୋନା ମହାମାରୀ ଚାଲିଥିବା ବେଳେ ବାବା ରାମଦେବଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି । ଏବେ ହରଡଘଣାରେ ଯୋଗ ଗୁରୁ ବାବା ରାମଦେବ । ଏଲୋପାଥି ମେଡିସିନକୁ ନେଇ ବେପରୁଆ ମନ୍ତବ୍ୟ ଦେବା ପରେ ଅଡୁଆରେ ବାବା । ଯୋଗ ଗୁରୁଙ୍କୁ ଘେରିଛନ୍ତି ଡାକ୍ତର । ବାବାଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) । ଏଲୋପ୍ୟାଥି ଔଷଧକୁ ନେଇ ଅଣବବୈଜ୍ଞାନିକ ମନ୍ତବ୍ୟ ଦେବା ସହ ମେଡିକାଲ ସାଇନ୍ସ ଉପରେ ଲୋକଙ୍କ ଭରସାକୁ ଆଘାତ ପହଞ୍ଚାଇଥିବା ନେଇ ବାବାଙ୍କ ବିରୋଧରେ ଅଭିଯୋଗ ଆଣିଛି ଆଇଏମଏ । ଏପିଡେମିକ ଡିଜିଜ ଆକ୍ଟ ଜରିଆରେ ମାମଲା ରୁଜୁ କରିବା ସହ ବାବାକୁ ବାନ୍ଧିବାକୁ ଦାବି କରିଛନ୍ତି ଡାକ୍ତର । ରାମଦେବ ଦେଇଥିବା ମନ୍ତବ୍ୟ ଶିକ୍ଷିତ ସମାଜ ପାଇଁ ବିପଦ ହୋଇଥିବା ବେଳେ ବିଶେଷ ଭାବେ ଗରିବ ଲୋକଙ୍କ ଉପରେ କୂପ୍ରଭାବ ପକାଇଛି । ଏହାସହ ରାମଦେବ ବାବାଙ୍କ ଏକ ଭିଡିଓ ସେୟାର କରିବା ସହ ଆଇଏମଏ କହିଛି, ବାବା କହୁଛନ୍ତି ଏଲୋପାଥି ଷ୍ଟୁପିଡ ଏବଂ ଦେବାଳିଆ ବିଜ୍ଞାନ । ଏହା ସହ ସେ ଆହୁରି କହିଛନ୍ତି, ଏଲୋପାଥି ମେଡିସିନ ଖାଇବା ପରେ ମଧ୍ୟ ଲକ୍ଷଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଦ୍ୱାରା ସ୍ୱିକୃତୀ ପାଇଥିବା ରେମଡେସିଭିର, ଫାବିଫ୍ଲୁ ସମେତ ଅନ୍ୟ ଔଷଧ କରୋନା ରୋଗୀଙ୍କ ଚିକିତ୍ସାରେ ବିଫଳ ହୋଇଛି ବୋଲି ରାମଦେବ କହିଛନ୍ତି । ରାମଦେବଙ୍କ ଏହି ମନ୍ତବ୍ୟ ପରେ ଆଇଏମଏ କହିଛି, ‘କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଯିଏକି ଖୋଦ ଆଧୁନିକ ଚିକିତ୍ସା ଏଲୋପାଥିରେ ଡାକ୍ତର ଥିଲେ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରମୁଖ ରହିଛନ୍ତି, ସେ ଏହି ଭଦ୍ରବ୍ୟକ୍ତିଙ୍କ ଚ୍ୟାଲେଞ୍ଚ କିମ୍ବା ଅଭିଯୋଗକୁ ସ୍ୱୀକାର କରନ୍ତୁ ଏବଂ ଆଧୁନିକ ଚିକିତ୍ସା ସୁବିଧାକୁ ରଦ୍ଦ କରନ୍ତୁ କିମ୍ବା ଏଭଳି ଅଣବୈଜ୍ଞାନିକ ମନ୍ତବ୍ୟରୁ ଲୋକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ବିରୋଧରେ ମକଦ୍ଦମା କରନ୍ତୁ ।’ ଏହା ସହ ଆଇଏମଏ ଅଭିଯୋଗ କରିଛି, ବର୍ତ୍ତମାନ ପରିସ୍ଥିତିର ଫାଇଦା ଉଠାଇବା ସହ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ରାମଦେବ ଚେଷ୍ଟା କରୁଛନ୍ତି । ସେ ଏମିତି କରି ନିଜର ମାନ୍ୟତା ବିହୀନ ଏବଂ ବେଆଇନ ଔଷଧ ବିକ୍ରି କରି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ବୋଲି ଆଇଏମଏ ଅଭିଯୋଗ କରିଛି । ଯଦି ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱତଃ ମାମଲା ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆମେ ଗଣତାନ୍ତ୍ରିକ ଉପାୟରେ ସତ୍ୟ ଉନ୍ମୋଚନ କରିବୁ । ଦରକାର ପଡିଲେ କୋର୍ଟ ଯିବୁ ବୋଲି ଚିକିତ୍ସକ ସଂଘ ଚେତାବନୀ ଦେଇଛି । ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରି ନିଜର ଫାଇଦା କରିବା ଦଣ୍ଡନୀୟ ଅପରାଧ । ଏଭଳି ଅନଭିଜ୍ଞ ମନ୍ତବ୍ୟ ସମାଜ ପାଇଁ ବିପଦ ବୋଲି ମଧ୍ୟ ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ କୁହାଯାଇଛି ।






