ବଳଙ୍ଗା (ବାଘୁଆବାର୍ତ୍ତା): କରୋନା କବଳରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର କରିବାକୁ ସମସ୍ତଙ୍କୁ ସଚେତନ କରାଯାଉଛି । କିଛି ଅମାନିଆ ମାସ୍କ ବ୍ୟବହାର କରୁ ନାହାନ୍ତି । ମାସ୍କ ବ୍ୟବହାର କରୁ ନଥିବା ଅମାନିଆଙ୍କୁ ପୁଲିସ ଯାଞ୍ଚ କରୁଛି । ସଟଡାଉନରେ ମାସ୍କ ନ ପିନ୍ଧି ଜଣେ ଯୁବକ ବଜାରକୁ ଆସିଥିବା ବେଳେ ପୁଲିସ ପଚାରିବାରୁ ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ ପୁଲିସ ଉପରକୁ ଛୁରୀରେ ଆକ୍ରମଣ କରିଛି । ଏହିପରି ଘଟଣା ପୁରୀ ଜିଲ୍ଲା ବଳଙ୍ଗା ବଜାରରେ ଘଟିଛି । ଜଣେ ଯୁବକ ମାସ୍କ ନ ପିନ୍ଧି ବଳଙ୍ଗା ବଜାରକୁ ଆସିଥିଲା । ତେବେ ମାସ୍କ କାହିଁକି ପିନ୍ଧିନ ବୋଲି ଯୁବକଙ୍କୁ ପୁଲିସ ପଚାରିଥିଲା । ଏଥିରେ ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ ଏକ ଛୁରୀରେ ପୁଲିସକୁ ଆକ୍ରମଣ କରିଥିଲା । ତେବେ ପୁଲିସ ଯୁବକଙ୍କୁ କାବୁ କରି ନେଇଥିଲା । ପରେ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି ।






