ନୟାଗଡ଼, (ବାଘୁଆବାର୍ତ୍ତା): ଶରଣକୁଳ ନିକଟସ୍ଥ ବାଉଁଶିଆ ଗ୍ରାମଠାରେ ଗଢ଼ି ଉଠିଥିବା ରାଜ୍ୟର ଅଗ୍ରଣୀ ଓ ବହୁବିଧ ଜନ କଲ୍ୟାଣକାରୀ ତଥା ଭିନ୍ନକ୍ଷମ, ଅସହାୟ, ନିସହାୟ, ବୃଦ୍ଧବୃଦ୍ଧା, ସୁସ୍ଥ ଓ ସମାଜରେ ଅବହେଳିତ ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଥଇଥାନ ଏବଂ ସମ୍ମାନ ପାଇଁ ଅହରହ କାର୍ଯ୍ୟ କରୁଥିବା ‘ଆଶ୍ରୟ’ ଦିବ୍ୟାଙ୍ଗ ସେବା ଗ୍ରାମ ଆନୁକୁଲ୍ୟରେ ଏକ ଆତ୍ମ ନିର୍ଭରଶୀଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ‘ଆଶ୍ରୟ’ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସବୁବେଳେ ସମସ୍ତଙ୍କର ଦୁଃଖ ଦୁର୍ଦ୍ଦିନରେ ନିଜକୁ ଉତ୍ସର୍ଗ କରୁଥିବା ସମସ୍ତଙ୍କର ପରିଚିତ ସାମାଜିକ କର୍ମୀ ଲୋକନାଥ ଭାଇଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ପ୍ରକାଶ ଏହିକି ହରିହରପୁର ଗ୍ରାମର ପ୍ରସନ୍ନ ମହାରଣା ଜନ୍ମରୁ ଚକ୍ଷ୍ୟୁହୀନ ଅଟନ୍ତି । ନିଜର ପରିବାର ପ୍ରତିପୋଷଣ ପାଇଁ ପାଉଁରୁଟି ଓ ବିସ୍କୁଟ ଧରି ଗାଁକୁ ଗାଁ ବୁଲି ସ୍ୱଳ୍ପ ରୋଜଗାରରେ ପରିବାର ଚଳାନ୍ତି । ପ୍ରସନ୍ନଙ୍କର ଏହି ଦୁଃଖଦ ବିଷୟ ଲୋକନାଥ ଭାଇଙ୍କ କର୍ମ ଗୋଚର ହୁଅନ୍ତେ ସେ ପ୍ରସନ୍ନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ମନସ୍ଥ କରିଥିଲେ । ‘ଆଶ୍ରୟ’ର “ଡୋରଷ୍ଟେପ୍” ଯୋଜନା ମାଧ୍ୟମରେ ଲୋକନାଥ ଭାଇ ‘ଆଶ୍ରୟ’ର ସ୍ୱେଚ୍ଛାସେବୀ ମାନଙ୍କୁ ସାଥିରେ ନେଇ ଏକ ସିଲାଇ ମେସିନି ପ୍ରଦାନ କରିଥିଲେ । ଏହି କାର୍ଯ୍ୟ କ୍ରମରେ ପ୍ରମୁଖ ସହଯୋଗ କରିଥିଲେ । ‘ଆଶ୍ରୟ’ର ସଦସ୍ୟ ରାମକୃଷ୍ଣ ମହାରଣାଙ୍କ ରଚିତ “ଆଶ୍ରୟ”ର କାର୍ଯ୍ୟ ଗୀତକୁ ଦାସକାଠିଆ କଳାକାର ପ୍ରଫୁଲ୍ଲ ନାହାକ ପରିବେଷଣ କରିଥିଲେ । ‘ଆଶ୍ରୟ’ର ଏହି ଲୋକାଭିମୁଖୀ ଓ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଉପସ୍ଥିତ ଥିବା ହରିହରରପୁର ଗ୍ରାମବାସୀ ବୃନ୍ଦ ଆନନ୍ଦରେ କରତାଳି ଦେବା ସହ ଭୁୟସୀ ପ୍ରଶଂସା କରିଥିଲେ ।






