ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଆସାମ-ନାଗାଲାଣ୍ଡ ସୀମା ନିକଟ ପଶ୍ଚିମ କାର୍ବି ଆଙ୍ଗ୍ଲାଙ୍ଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଉଗ୍ରବାଦୀଙ୍କ ଭିତରେ ସଂଘର୍ଷ । ରବିବାର ହୋଇଥିବା ଏନକାଉଣ୍ଟରରେ ଡିମାସା ନ୍ୟାସନାଲ ଲିବରେସନ ଆର୍ମି (ଡିଏନଏଲଏ) ର ୮ ଜଣ ଉଗ୍ରବାଦୀ ନିହତ ହୋଇଛନ୍ତି । ଏହାପୂର୍ବରୁ ଅଧିକାରୀମାନେ ଏନକାଉଣ୍ଟରରେ ୬ଜଣ ଉଗ୍ରବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଥିଲେ । କାରଣ ସେତେବେଳେକୁ ଓ ଅନ୍ୟ ଦୁଇ ଜଣଙ୍କ ମୃତ ଦେହ ମିଳି ନଥିଲା । ଆସାମ ପୋଲିସ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଗୁଇନ୍ଦା ରିପୋର୍ଟ ଆଧାରରେ ଅତିରକ୍ତ ପୋଲିସ ଅଧୀକ୍ଷକ ପ୍ରକାଶ ସୋନୱାଲାଙ୍କ ନେତୃତ୍ୱରେ ପୋଲିସ ଅଧିକାରୀ ଏବଂ ଆସାମ ରାଇଫଲ୍ସ ଯବାନଙ୍କ ଏକ ଟିମ ମିଳିତ ଅପରେସନ କରିଥିଲେ । ଏହି ସମୟରେ ସୁରକ୍ଷା ବାହିନୀ ଏବଂ ଉଗ୍ରବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ନ୍ୟାସନାଲ ଲିବରେସନ ଆର୍ମି ସଂଗଠନର ୮ ଜଣ ସଦସ୍ୟ ନିହତ ହୋଇଥିଲେ । ଏବେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି ।






