କଞ୍ଚା ଚୁଡା, ଚିନି, ନଦୀ ଜଳରେ ବିତୁଛି ଜୀବନ
ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟରେ ସାମାଜିକ ସୁରକ୍ଷାରୁ କେହି ଯେପରି ବଞ୍ଚିତ ନହୁଅନ୍ତି ସେଥିପାଇଁ ସାମାଜିକ ସୁରକ୍ଷା ବିଭାଗ ଦୃଷ୍ଟି ଦେଉଛି । ବିଭାଗୀୟ ଦୃଷ୍ଟି ଅନ୍ତରାଳେ ରହି କିଛି ବ୍ୟକ୍ତି ଅସହାୟ ଜୀବନ କାଟୁଛନ୍ତି । ରାତି ସାରା ଖୋଲା ଆକାଶ ତଳେ ରହୁଛନ୍ତି । କଞ୍ଚା ଚୁଡା, ଚିନି ଓ ନଦୀ ଜଳ ପାନ କରି ଜୀବନ ବିତାଉଛନ୍ତି । ସେଭଳି ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବ୍ରଜାରାଜପୁର ଗ୍ରାମ ପଞ୍ଚାୟତ ବଡ଼ ଲତାର ଗ୍ରାମରେ । ଟୁଟୁ ପଟ୍ଟନାୟକଙ୍କ ପୁଅ ଲିଟୁ ପଟ୍ଟନାୟକ ଜଣେ ସ୍ନାତକ ଡିଗ୍ରୀଧାରୀ କମ୍ପ୍ୟୁଟର ଜ୍ଞାନ ଥିବା ଯୁବକ ।

ଟୁଟୁ ପଟ୍ଟନାୟକ ଭୂମିହୀନ । ସ୍ତ୍ରୀ ଚାଲିଗଲା ପରେ ପରଘରେ ଆଶ୍ରିତ । ପୁଅ ଲିଟୁ ପଟ୍ଟନାୟକ ଶିକ୍ଷିତ ହୋଇଥିଲେ ମଧ୍ୟ କାମଧନ୍ଦା ନପାଇ ବୁଲି ବୁଲି ଛିଣ୍ଡା ଜରି, ବୋତଲ ଗୋଟାନ୍ତି । ଜେଲ୍ ଛକରେ ଥିବା କବାଡିଆ ପାଖରେ ବୋତଲ ବିକ୍ରୟ ପଇସାରେ ଦୋକାନରୁ ଚୁଡା ଓ ଚିନି କିଣି ଖାଆନ୍ତି ମନ୍ଦାକିନୀ ନଦୀ କିମ୍ବା ନଳକୂପ ଜଳ ପାନ କରି ଶୋଷ ମେଣ୍ଟାନ୍ତି । ଭାରି ସ୍ୱାଭିମାନୀ କାହାକୁ ହାତ ପତାନ୍ତି ନାହିଁ । ଜେଲ୍ ଛକ ଲତାର ରାସ୍ତା କଡରେ ଗୋଟାଇଥିବା ଛିଣ୍ଡା ଜରି ଗଦା ଉପରେ ଖୋଲା ଆକାଶ ତଳେ ଥଣ୍ଡା କାକରରେ ଶୋଇଥାନ୍ତି । ଅନେକ ସରକାରୀ ଅଧିକାରୀ, ନେତା, ଅନାଥାଶ୍ରମ କରିଥିବା ସମାଜସେବୀ ଓ ଏନ୍ଜିଓ ଅଧିକାରୀ ସେହି ରାସ୍ତା ଦେଇ ଯାଉଥିଲେ ମଧ୍ୟ ଅସହାୟ ଶିକ୍ଷିତ ଲିଟୁ ପଟ୍ଟନାୟକଙ୍କୁ ଦେଖିଲେ ମଧ୍ୟ ମୁହଁ ଫେରାଇ ଚାଲି ଯାଆନ୍ତି । ନୟାଗଡ଼ ଜିଲ୍ଲାପାଳ ଓ ରାଜ୍ୟର ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ଦୃଷ୍ଟି ଦେବାକୁ ସାଧାରଣରେ ଅନୁରୋଧ କରାଯାଇଛି ।





