ନୟାଗଡ଼, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଷ୍ଟେନୋ । ୪୮ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ନୟାଗଡ ଭିଜିଲାନ୍ସ । ୧୬୧ ଶିକ୍ଷକ ମାନଙ୍କ ପ୍ରାନ୍ ଆଇଡି କରିବାପାଇଁ ନେଉଥିଲେ ଲାଞ୍ଚ । ଷ୍ଟେନୋ ଦୁର୍ଗାପ୍ରସାଦ ମହାପାତ୍ର ଆଜି ଅଫିସ କାର୍ୟ୍ୟାଳୟରେ ଦୁଇଜଣ ଶିକ୍ଷକଙ୍କ ଠାରୁ ଏହି ଟଙ୍କା ନେଉଥିଲେ । ଶିକ୍ଷକମାନେ ଅବସର ପରେ ପେନସନ୍ ପାଇବାପାଇଁ ସେମାନଙ୍କର ପ୍ରାନ୍ ଆଇଡି ଟ୍ରେଜେରୀରେ କରିବାକୁ ପଡିଥାଏ । ସମ୍ପୃକ୍ତ କର୍ମଚାରୀ ଜଣଙ୍କ ଶିକ୍ଷକମାନଙ୍କ ଠାରୁ ଏଥିପାଇଁ ଲାଞ୍ଚ ନେଇଥାନ୍ତି ବୋଲି ଅଭିଯୋଗ ହୋଇଛି । ଏପରିକି ଗତବର୍ଷ ସେ ୫୨ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗକାରୀ କହିଛନ୍ତି । ଚଳିତବର୍ଷ ୧୬୧ ଜଣ ଶିକ୍ଷକମାନଙ୍କର ପ୍ରାନ୍ ଆଇଡି ପାଇଁ ଦୁର୍ଗାପ୍ରସାଦ ୪୦୦ ଟଙ୍କା ଲେଖାଁଏ ଲାଞ୍ଚ ମାଗିଥିଲେ । ପରେ କିନ୍ତୁ ଏହା ୩୦୦ଟଙ୍କା ଲେଖାଁଏ ନେବାପାଇଁ ତୂଟିଥିଲା । ଏ ସମ୍ପର୍କରେ କିଛି ଶିକ୍ଷକ ଭିଜିଲାନ୍ସକୁ ଅବଗତ କରାଇଥିଲେ । ପୂର୍ବ ଯୋଜନା ଅନୁଯାୟୀ ଆଜି ସମସ୍ତ ୧୬୧ ଜଣ ଶିକ୍ଷକମାନଙ୍କ ପାଇଁ ଦୁଇଜଣଙ୍କ ଶିକ୍ଷକଙ୍କ ଠାରୁ ଦୁର୍ଗାପ୍ରସାଦ ୪୮ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ମାଡିବସିଥିଲା । ଦୁର୍ଗାପ୍ରସାଦଙ୍କ ଠାରୁ ସମସ୍ତ ୪୮ ହଜାର ଟଙ୍କା ରିକଭରି କରାଯାଇଛି । ଦୁର୍ଗାପ୍ରସାଦଙ୍କ ସରକାରୀ ବାସଭବନରେ ଚଢ଼ଉ ଜାରୀ ରହିଛି । ନୟାଗଡ଼ ଭିଜିଲାନ୍ସ ଡିଏସପି ଶ୍ରୀକାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଛି । ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ କେସ ନଂ-୧୧/୨୦୨୩ ରେ ମାମଲା ରୁଜୁ କରାଯାଇଛି । ଏଥି ସହିତ ତାଙ୍କ ନିଜ ଗ୍ରାମ ରଣପୁରରେ ଚଢ଼ଉ ଜାରି ରହିଥିଲା । ଆଜି ଭିଜିଲାନ୍ସ ଟିମ ଷ୍ଟେନୋଙ୍କୁ ଗିରଫ କରିଛି ।





