ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କାୟା ବିସ୍ତାର କରି ଅଢ଼େଇ କୋଟି ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ଗତ କାଲି ରଣପୁର ଥାନାରେ ଅଟକ ରହିଥିଲେ । ଚିଟ୍ଫଣ୍ଡ ଠକେଇରେ ଜମାକାରି ମାନେ ଏବେବି ଉବୁଟୁବୁ ହେଉଥିବା ବେଳେ ତଥାପି ଲୋକମାନେ ଲୋଭର ଶିକାର ହୋଇ ଶେଷରେ ଥାନାର ଦ୍ୱାରସ୍ଥ ହେଉଛନ୍ତି । ଏଭଳି ଏକ ଘଟଣା ରଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ସୁଚନାନୁସାରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଦର୍ପନାରାୟଣପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଓଡ଼ଗାଁ ଥାନା ଅନ୍ତର୍ଗତ ପାଣ୍ଡେରିପଡ଼ାର ନବକିଶୋର ପ୍ରଧାନଙ୍କ ସମେତ ୨୩ ଜଣ ଥାନାରେ ମାମଲା ରୁଜୁ କରିଥିଲେ । ରଣପୁର ଥାନା ପକ୍ଷରୁ କେସ୍ ନଂ – ୨୯୦ରେ ମାମଲା ରୁଜୁ କରାଯାଇ ଆଜି ଗଜାନନ ପ୍ରଧାନ ଓରଫ ଗଣେଷ ଓ ତାଙ୍କ ପତ୍ନୀ ଶୈଳବାଳା ପ୍ରଧାନଙ୍କୁ ଗିରଫ କରାଯାଇ କୋର୍ଟ ଫରୁୱାର୍ଡ କରାଯାଇଥିବା ସୁଚନା ଦେଇଛନ୍ତି ରଣପୁର ଥାନା ଆଇଆଇସି ଦିଲ୍ଲୀପ କୁମାର ସ୍ୱାଇଁ । ଗଜାନନଙ୍କ ଘର ଭୁବନେଶ୍ୱରର ଅନ୍ଧାରୁଆ ଗ୍ରାମରେ ହୋଇଥିବା ବେଳେ ସେ ଦର୍ପନାରାୟଣ ପୁର ଗ୍ରାମରେ ବିବାହ କରି ଘର ଜ୍ୱାଇଁ ଭାବେ ରହୁଥିଲେ । ଅଭିଯୋଗ ଅନୁଯାୟୀ ଗଜାନନ ଟ୍ରାଙ୍ଗୁଲାର ପ୍ଲେଟ ନାମରେ ଏକ ଜାଲ୍ ଚିଟ୍ଫଣ୍ଡ ସଂସ୍ଥା କରି ଅଢ଼େଇ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୋକଙ୍କ ଠାରୁ ଠକିଛନ୍ତି । ଗତ ୩ ରୁ ୪ ବର୍ଷ ଧରି ଏହି ଜାଲିଆତି କାମ କରୁଥିଲେ । ଏହି ମାମଲାକୁ ରଣପୁର ଥାନା ଉପ ନିରିକ୍ଷକ କୃତିବାସ ହରିଚନ୍ଦନ ତଦନ୍ତ କରି ସେମାନଙ୍କଠାରୁ ଗୋଟିଏ ମାରୁତି ସୁଜୁକି କାର, ୩୧,୫୦୦ ଟଙ୍କା, ଗୋଟିଏ ୟାମାହା ଗାଡି, ୮୫ ଗ୍ରାମ ସୁନା, ୨୮୮ ଗ୍ରାମ ରୁପା, ୪ ଗୋଟି ମୋବାଇଲ ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅନେକ ଜାଲି କାଗଜ ପତ୍ର ପୁଲିସ ଜବତ କରିଛି । ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ଗିରଫ କରାଯାଇ କୋର୍ଟ ଫରୁୱାର୍ଡ କରାଯାଇଛି । ଉଭୟଙ୍କୁ ଜାମିନ ନମିଳିବାରୁ ଜେଲ ଜିବାକୁ ପଡିଛି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ଜମାକାରି ମାନେ ଗତ କାଲି ତାଙ୍କ ଘରକୁ ଘେରାଉ କରି ଘର ଭାଙ୍ଗିବା ସମୟରେ ପୁଲିସ ଖବର ପାଇ ଗଜାନନକୁ ଥାନାକୁ ଆଣି ତଦନ୍ତ କରିଥିଲେ । ରଣପୁର ଆଇଆଇସି ଦିଲ୍ଲୀପ କୁମାର ସ୍ୱାଇଁ ଓ ଶରଣକୁଳ ଏସଡିପିଓ ସୁଧାକର ସାହୁ ଘଟଣା ଉପରେ ଗୁରୁତ୍ୱ ଦେଇ ଆଜି ଉଭୟ ଦମ୍ପତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।