ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ହରିହରପୁର ଗ୍ରାମର ରାଜକିଶୋର ବରାଡ଼ଙ୍କ ହତ୍ୟା ଘଟଣାର ପର୍ଦ୍ଧାଫାସ କରିଛି ପୁଲିସ । ଆଜି ନୟାଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍ୟ ଏହି ହତ୍ୟା କାଣ୍ଡର ପର୍ଦ୍ଧାଫାସ କରିଛନ୍ତି । ମଦ ପିଇ ଅଭିଯୁକ୍ତ ହତ୍ୟା କରିଥିବା ସୁଚନା ମିଳିଛି । ସୁଚନାନୁସାରେ ଶରଣକୁଳ ଥାନା ହରିହରପୁର ଗ୍ରାମର ରାଜକିଶୋର ବରାଡ଼ ୭ ତାରିଖ ମଧ୍ୟ ରାତ୍ରରେ ଘରେ ବିଶୃଙ୍ଖଳା ଲାଗି ଶରଣକୁଳ ବଜାରକୁ ପଳାଇ ଆସିଥିଲେ । ସକାଳୁ ଶରଣକୁଳ ବଜାରର ବିରଜା ମନ୍ଦିର ପାଖରେ ରାଜକିଶୋରଙ୍କ ମୃତ ଦେହ ପଡିଥିବା ଦେଖି ତାଙ୍କ ଘରକୁ ଖବର ଦେଇଥିଲେ ।
ତାଙ୍କ ପତ୍ନୀ ୮ ତାରିଖ ଦିନ ୯.୪୫ ବେଳେ ଥାନାରେ ଆସି କେହି ଦୁବୃତ ତାଙ୍କ ସ୍ୱାମୀକୁ ମାରି ଦେଇଥିବା ନେଇ ମାମଲା ରୁଜୁ କରିଥିଲେ । ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଯାଇଥିଲା । ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ନୟାଗଡ଼ ଏସଡିପିଓ ଓ ଆଇଆଇସିଙ୍କୁ ନେଇ ଗୋଟିଏ ଟିମ ଗଠନ କରି ତଦନ୍ତ ଆରମ୍ଭ କରାଯାଇଥିଲା । ଶରଣକୁଳ ଆଇଆଇସି ଜ୍ୟୋତିପ୍ରକାଶ ସ୍ୱାଇଁ ଏହି ମାମଲାର ତଦନ୍ତ ଭାର ନିଜେ ତଦାରଖ କରିଥିଲେ ।
ଫରେନ୍ସିକ୍ ଲାବୋରଟୋରୀ ଏବଂ କେ-୯ ସ୍କ୍ୱାଡ ମୃତ ଘଟିଥିବା ସ୍ଥାନକୁ ଯାଇ ତଦନ୍ତ କରିଥିଲେ । ପୁଲିସ ପକ୍ଷରୁ ବିଭିନ୍ନ ସୁତ୍ରରୁ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇଥିଲା । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ଏହି ମାମଲାର ସ୍ୱତନ୍ତ୍ର ତଦନ୍ତ ଭାର ନେଇଥିଲେ । ଶରଣକୁଳ ସୁଆର ସାହିର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପୁଅ ଜିତେନ୍ଦ୍ର କୁମାର ମହାପାତ୍ର ଅତ୍ୟାଧିକ ମଦ୍ୟପାନ କରି ରାଜକିଶୋରକୁ ହତ୍ୟା କରିଥିବା ଜଣା ପଡିଥିଲା । ଶରଣକୁଳ ଥାନାରେ କେସ ନଂ -୧୭୨/୨୦୨୪ ରେ ଏକ ମାମଲା ରୁଜୁ କରାଯାଇ ଆଜି ଅଭିଯୁକ୍ତକୁ କୋର୍ଟ ଫରୁୱାର୍ଡ କରାଯାଇଛି ।





