ପୁରୀ, (ବାଘୁଆବାର୍ତ୍ତା): ଶ୍ରୀସେତୁ ତଳେ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ପଥର ଛେଚି ହତ୍ୟା ଘଟଣା । ଅଭିଯୁକ୍ତ ସୌମ୍ୟରଞ୍ଜନକୁ ଗିରଫ କରିବା ସହ ସିନ୍ ରିକ୍ରିଏସନ୍ କଲା ଟାଉନ୍ ଥାନା ପୋଲିସ । ଗତ ୩ ଡିସେମ୍ବର ରାତି ପ୍ରାୟ ୧ଟା ବେଳେ ଘଟିଥିଲା ଘଟଣା । ସୂଚନାଯୋଗ୍ୟ, ମୃତ ସୁଦର୍ଶନ ସାହୁ ସହ ତାର ସାଙ୍ଗ କାଳିଆ ଓ ଅନ୍ୟ ଜଣେ ସାଙ୍ଗ ଖୁଣ୍ଟିଆ ବଗିଚାର ରାଜକିଶୋର ସାହୁ ଶ୍ରୀସେତୁ ନିକଟ ବିଶ୍ୱେଶରୀ ମନ୍ଦିର ନିକଟରେ ମଦ୍ୟପାନ କରୁଥିଲେ। ଘଟଣା ସ୍ଥଳରେ ପୁରୀରେ ରହୁଥିବା ଜଣେ ବ୍ୟାଟେରୀ ଚାଳକ ସୌମ୍ୟରଞ୍ଜନ ଆଚାର୍ଯ୍ୟ ମଧ୍ୟ ମଦ୍ୟପାନ କରୁଥିଲେ । ସେ ଜଣେ ଦିବ୍ୟାଙ୍ଗକୁ ଗାଳି ଗୁଲଜ କରୁଥିଲା । ଏହାକୁ ନେଇ ମୃତ ସୁଦର୍ଶନ ଓ ତାର ସାଙ୍ଗ ମାନେ ପ୍ରତିକ୍ରିୟା ପ୍ରକାଶ କରିବାରୁ ସୌମ୍ୟରଞ୍ଜନ ଓ ସୁଦର୍ଶନଙ୍କ ଭିତରେ ଯୁକ୍ତି ହୋଇଥିଲା ।ଏହି ସମୟରେ ସୁଦର୍ଶନ ସୋମ୍ୟକୁ କ୍ଷତ ପହଞ୍ଚାଇଥିଲେ । ଯାହାର ଜବାବରେ ଅଭିଯୁକ୍ତ ସୌମ୍ୟରଞ୍ଜନ ସୁଦର୍ଶନଙ୍କୁ ନିକଟରେ ପଡ଼ିଥିବା ପେଭର୍ ବ୍ଲକରେ ଆକ୍ରମଣ କରିଥିଲେ । ଯାହାଫଳରେ ସୁଦର୍ଶନର ମୁଣ୍ଡ ଛେଚି ହେବା ଯୋଗୁଁ ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ସୌମ୍ୟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବ୍ୟାଟେରୀ ଅଟୋ, ୫ଟି ଭଙ୍ଗା ପେଭର୍ ବ୍ଲକ୍, ମୃତକ ଓ ଅଭିଯୁକ୍ତର ରକ୍ତ ଭିଜା ପୋଷାକ ଜବତ କରାଯାଇଛି । ତେବେ ଘଟଣା ପରଦିନ ରାଷ୍ଟ୍ରପତିଙ୍କ ଗସ୍ତସୂଚୀ ରହିଥିବା ବେଳେ ପୁରୀରେ ପୋଲିସ ଛାଉଣୀ ରହିଥିଲା । ବିଳମ୍ବିତ ରାତିରେ ଏଭଳି ଘଟଣା ପୁରୀ ସହରରେ ଚାଞ୍ଚଲ୍ୟ ଖେଳାଇ ଥିଲା ।





