ଆନନ୍ଦପୁର, (ବାଘୁଆବାର୍ତ୍ତା): ଶେଷରେ ବନ୍ଧାହେଲା ନିଶାଦିଆ ଲୁଟେରା । ଦୀର୍ଘଦିନ ଧରି ଆନନ୍ଦପୁର ଉପଖଣ୍ଡରେ ଲୁଟ୍ ପାଟ ଚଳାଇ ଆସୁଥିଲା ଲୁଟେରା । ପୋଲିସ୍ ମୁଣ୍ଡବିନ୍ଧାର କାରଣ ବି ପାଲଟିଥିଲା । ଏମିତି ନିଶାଦିଆ ଲୁଟେରାକୁ ଗିରଫ କରିଛି ଆନନ୍ଦପୁର ପୋଲିସ୍ । ଆନନ୍ଦପୁର ବ୍ରିଜ୍ ଛକରୁ ଏହି ଲୁଟେରାକୁ ପୋଲିସ୍ ଗିରଫ କରିଥିବାବେଳେ ତା ନିକଟରୁ ଏକ ବାଇକ୍ ଜବତ ହୋଇଛି । ଲୁଟେରା ଜଣକ ଭୁବନ ଥାନା ଓଡଶ ଗାଁର ବ୍ରଜବନ୍ଧୁ ରଣା ହୋଇଥିବା ଜଣାପଡିଛି । ବ୍ରଜବନ୍ଧୁ ମୟୁରଭଞ୍ଜ ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଏକ ଭଡାଘରେ ରହି ଲୁଟ୍ ପାଟ୍ ଚଳାଇଥିଲା । ବିଭିନ୍ନ ହାଟକୁ ଯାଇ କ୍ଷୁଦ୍ର ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ବ୍ୟବସାୟ କଥା ବାର୍ତ୍ତା ଆଳରେ ଚା’ କୋଲଡ୍ରିଙ୍କ୍ସ ଭଳି ପାନୀୟରେ ନିଶାଦେଇ ଲୁଟ୍ ପାଟ୍ ଚଳାଇଥିଲା । ପ୍ରାୟ ୧୦ ମାସ ମଧ୍ୟରେ ଆନନ୍ଦପୁର ଉପଖଣ୍ଡ ବିଭିନ୍ନ ଅଞ୍ଚଳରେ ଅନେକ ବ୍ୟବସାୟୀଙ୍କୁ ତାର ଶିକାର କରିଥିଲା । ହେଲେ ପୋଲିସ୍ ହାତରେ ଧରାପଡି ନଥିଲା । ଆନନ୍ଦପୁର, ଘଷିପୁରା, ନନ୍ଦିପଦା ଓ ସୋସୋ ଥାନା ସମେତ ଭଦ୍ରକ ଜିଲ୍ଲାର କେତେକ ଥାନାରେ ପ୍ରାୟ ୧ବର୍ଷ ମଧ୍ୟରେ ନିଶାଦେଇ ଲୁଟ୍ ପାଟ୍ ମାମଲା ଦାୟର ହୋଇଛି ।





