କଟକ, (ବାଘୁଆବାର୍ତ୍ତା): ଲୁଟ୍ କରିବାର ନୂଆ ଟ୍ରିକ୍ । ଯେଉଁ ସ୍ଥାନରେ କାମ କରୁଥିଲା ସେଠାରୁ ଲୁଟୁଥିଲା । ଲକ୍ଷେ କି ୨ ଲକ୍ଷ ନୁହେଁ ଏକାଥରକେ ୪୮ ଲକ୍ଷ ସୁନା । ଏମିତି ଜଣେ କୁଖ୍ୟାତ ସୁନା ଲୁଟେରାକୁ ବାନ୍ଧିଛି କଟକ ପୁରୀଘାଟ ଥାନା ପୋଲିସ । ଗିରଫ ଲୁଟେରା ଲାଲବାଗ ଅଞ୍ଚଳର ସତ୍ୟନାରାୟଣ ସାହୁ । ସେ ଦୀର୍ଘବର୍ଷ ଧରି ନୟାସଡକରେ ଥିବା ସୂରଜ ଜୁଏଲାରୀରେ କାମ କରୁଥିଲା । ସତ୍ୟନାରାୟଣ ପ୍ରତିଦିନ ସେ ସୁଯୋଗ ଦେଖି ଦୋକାନରୁ ଅଳ୍ପ ଅଳ୍ପ ସୁନା ନିଜ ପକେଟରେ ପୁରାଉଥିଲା । ଯାହା ଦୋକାନ ମାଲିକ ସୁକୁମାର ବୋଇତାଳ ଜାଣିପାରିନଥିଲେ । ହେଲେ ଚୋର ଘର କଣ ସବୁଦିନ ଅନ୍ଧାର ଥାଏ । ସତ୍ୟନାରାୟଣର କାରସାଦି ବାବଦରେ ସୁକୁମାରଙ୍କୁ ସୁରାକ ମିଳିଯାଇଥିଲା । ଏ ନେଇ ପ୍ରମାଣ ପାଇବା ପରେ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ଛାନଭିନ କରିବା ପରେ ସତ୍ୟନାରାୟଣଙ୍କ ଠାରୁ ୪୮ ଲକ୍ଷ ଟଙ୍କାର ସୁନା ଜବତ କରିଛି । ସତ୍ୟନାରାୟଣ ଅନେକ ଦିନରୁ ଏପରି ଚୋରି କରୁଥିବା ସ୍ବୀକାର କରିଛି । ପୋଲିସ ସୁନାକୁ ଜବତ କରିବା ସହ ସତ୍ୟନାରାୟଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ପ୍ରେସ୍ମିଟ୍ରେ ପୁରା ଘଟଣାର ପର୍ଦ୍ଦାଫାଶ କରିଛନ୍ତି କଟକ ଡିସିପି ରିଶିକେଶ ଦାନଦେଓ ଖିଲରୀ ।





