ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଭାପୁର ବ୍ଳକ ଭଗବାନପୁର ଗ୍ରାମରେ ଚଳିତ ମାସ ୮ ତାରିଖରେ ଜଣେ ଯୁବକଙ୍କୁ ସପ୍ସଘବଦ୍ଧ ଭାବେ ଆକ୍ରମଣ ଘଟଣାରେ ବୁଧବାର ଦିନ ଫତେଗଡ ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ଓ ଥାନା ଅଧିକାରୀ ପଞ୍ଚାନନ ପରିଡା ଫତେଗଡ ଥାନାରେ ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଫତେଗଡ ଥାନା ଭଗବାନପୁର ଗ୍ରାମ ଏବେ ରାଜନୈତିକ ଗଣ୍ତଗୋଳର ହଟସ୍ଲଟ ପାଲଟିଛି। ବିଗତ ବର୍ଷମାନଙ୍କରେ ମଧ୍ୟ ଏଠାରେ ଅନେକ ବଡଧରଣର ରାଜନୈତିକ ଗଣ୍ତଗୋଳ ଘଟିଛି। ରାଜନୈତିକ ପୃଷ୍ଟ ପୋଷକତାରେ ଏହି ଗଣ୍ତଗୋଳ ହୋଇଥାଏ। ୮ ତାରିଖ ଗ୍ରାମର ମହେଶ୍ବର ସାହୁଙ୍କ ପୁଅ ଅଖିଳ କୁମାର ସାହୁ ସନ୍ଧ୍ୟା ସମୟରେ ଦାଣ୍ତ ଦୁଆରେ ଠିଆହୋଇ ଫୋନରେ ଗପୁଥିଲା ବେଳେ ସେହି ଭଗବାନପୁର ଗ୍ରାମର ଅସାମାଜିକ ଯୁବକ ବିଷ୍ଣୁ ପ୍ରସାଦ ସାହୁ ଓ ତାର ଚାରି ପାଞ୍ଚ ଜଣ ସାଙ୍ଗକୁ ଧରି ଅଖିଳଙ୍କୁ ଖଣ୍ତା, ଭୂଜାଲି ଓ ଅନ୍ୟ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଅଖିଳଙ୍କ ମୁଣ୍ଡ, ହାତ, ଗୋଡ, ଜଙ୍ଘ ଓ ଦେହରେ ଦଶରୁ ଉର୍ଦ୍ଧ୍ବ ଖଣ୍ତା ଚୋଟ ପଡିଥିଲା।
ଏହି ଆକ୍ରମଣ ରେ ଅଖିଳ ଗୁରୁତର ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ଏହାକୁ ଅତି ଗୁରୁତର ଘଟଣା ଭାବେ ଜିଲ୍ଲା ପୋଲିସ ଗ୍ରହଣ କରି ଏସପି ରାହୁଲ ଜୈନଙ୍କ ନେତୃତ୍ୱରେ ଗ୍ରାମରେ ଫ୍ଲାଗମାର୍ଚ୍ଚ କରି ଅଭୁଯୁକ୍ତଙ୍କୁ ଧରିବା ପାଇଁ ପାଞ୍ଚୋଟି ସ୍ୱତନ୍ତ୍ର ଟିମ ଗଠନ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ। ଶେଷରେ ମୁଖ୍ୟ ଅଭିଯୁକ୍ତ ଫତେଗଡ ଥାନା ଭଗବାନପୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ବିଷ୍ଣୂ ପ୍ରସାଦ ସାହୁ, ଗଞ୍ଜାମ ବେଲଗୁଣ୍ଠାର ଶିବ ବେହେରାଙ୍କ ପୁଅ ଆଶିଷ ବେହେରା, କଟକ ଜିଲ୍ଲା ବୈଦେଶ୍ୱର ଥାନା କଳାପଥର ଗ୍ରାମର ବିଜୟ କୁମାର ସାହୁଙ୍କ ପୁଅ ବିଭୁତି ସାହୁ, ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଜେନାପୁର ଗ୍ରାମର ରାମଚନ୍ଦ୍ର ସାମଲଙ୍କ ପୁଅ ନାରାୟଣ ସାମଲ ଓ ଗଞ୍ଜାମ ପୋଲସର ଥାନା ତେନ୍ତୁଳିଆ ଗ୍ରାମର ଭଗବାନ ବେହେରାଙ୍କ ପୁଅ ନିଳାଞ୍ଚାଳ ବେହେରାଙ୍କୁ ଗିରଫ କରାଯାଇଛି । ସମସ୍ତେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜାକରା ଜଙ୍ଗଲରୁ ଗିରଫ କରାଯାଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେମାନଙ୍କ ଠାରୁ ଦୁଇଟି ଖଣ୍ତା ଓ ଅନ୍ୟ ମାରଣାସ୍ତ୍ର ସହ ଗୋଟିଏ ବାଇକ ଜବତ ହୋଇଛି।





