ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଭୁତଡ଼ି ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭୂତଡ଼ି ଗ୍ରାମର କାବୁଲି ରାଉତ ଏବଂ ତାଙ୍କ ପୁଅ ସାନୁଲୁ ରାଉତ । ଦୁଇ ଅଭିଯୁକ୍ତଙ୍କୁ ଖଣ୍ଡପଡ଼ା ଥାନା ଅଞ୍ଚଳରୁ ଗିରଫ କରାଯାଇଥିବା ନୟାଗଡ଼ ଏସପି ରାହୁଲ ଜୈନ ଇଟାମାଟି ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଲାଠିପଡ଼ା ପାଇକସାହିର ଜଗଦ୍ଦେବ ପରିଡ଼ାଙ୍କ ସହ ଭୁତଡ଼ି ଗ୍ରାମର କାବୁଲିଙ୍କ ପରିବାର ସହ ଜମିବାଡ଼ି ବିବାଦ ରହିଥିଲା । ଗତକାଲି ଅଭିଯୁକ୍ତଙ୍କ ଆକ୍ରମଣରେ ଜଗଦ୍ଦେବ ଏବଂ ସାନପୁଅ ପ୍ରମୋଦ ଗୁରୁତର ହୋଇଥିବା ବେଳେ ବଡ଼ପୁଅ ସୁବୋଦ୍ଧ(ଦଣ୍ଡପାଣି)ଙ୍କ ମୃତ୍ୟୁ ଘଟିଥିଲା ।
ପୁଲିସ ସୁବୋଦ୍ଧଙ୍କ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି । ଏହି ଘଟଣାକୁ ନେଇ ସୁବେଦ୍ଧାଙ୍କ ପତ୍ନୀ ଅଶାନ୍ତି ପରିଡ଼ାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଘଟଣାର ତଦନ୍ତ ଭାର ନେଇଥିବା ବେଳେ ଏସ୍ପି ନିଜେ ଏହାର ତତ୍ୱାବଧାନ କରୁଛନ୍ତି । ଏସଡିପିଓ ଓ ଥାନା ଅଧିକାରୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇଥିଲା । ତାଙ୍କୁ ସାଇବର ସେଲ୍ ଏବଂ ଟେକନିକାଲ ଟିମ୍ ସହଯୋଗ କରିଥିଲେ । ଗତକାଲି ରାତିରେ ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରି ଖଣ୍ଡପଡ଼ା ଅଞ୍ଚଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୩୦ ଦିନ ମଧ୍ୟରେ ଚାର୍ଜ୍ଜସିଟ୍ ଦାଖଲ କରାଯିବା ସହ ଏହାକୁ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରିବା ପାଇଁ ଅନୁରୋଧ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଏହା ସହିତ ଘଟଣାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଅନ୍ୟ ଫେରାର ବ୍ୟକ୍ତିଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି ।





