ଢେଙ୍କାନାଳ, (ବାଘୁଆବାର୍ତ୍ତା): ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ । ଢେଙ୍କାନାଳ ପରଜଙ୍ଗ ତହସିଲଦାର ଶୁଭ୍ର ପଟେଲଙ୍କ ଉପରେ ଆକ୍ରମଣ କରିଥିଲେ ମାଟି ମାଫିଆ । ତହସିଲଦାରଙ୍କ ଉପରେ ଜେସିବି ଓ ଟ୍ରାକ୍ଟର ଚଢେଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ପରଜଙ୍ଗ ତହସିଲ ଅନ୍ତର୍ଗତ ପଥରଖମ୍ବ ଗାଁ ନିକଟରେ ସରକାରୀ ଜାଗାରୁ ମାଟି ଖୋଳି ନେଇ ଯାଉଥିଲେ ମାଫିଆ । ଏନେଇ ଖବର ପାଇ ଚଢାଉ କରିଥିଲେ ତହସିଲଦାର । ପରେ ମାଟି ମାଫିଆ ହାତରେ ଠେଙ୍ଗା ଧରି ତାଙ୍କୁ ଆକ୍ରମଣ କରିଥିଲେ । ଏମିତିକି ଜେସିବି ଓ ଟ୍ରାକ୍ଟର ଚଢେଇ ଦେବାକୁ ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଥିବା ପରଜଙ୍ଗ ଆରଆଇ ଆଲୋକ କୁମାର ଲେଙ୍କା ଓ ତହସିଲ କର୍ମଚାରୀ ପ୍ରେମାନନ୍ଦ ବେହେରାଙ୍କୁ ବି ଛାଡି ନଥିଲେ ଆକ୍ରମଣକାରୀ । ପରେ ତହସିଲଦାରଙ୍କୁ ଓ ଆରଆଇଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରଜଙ୍ଗ ବିଧାୟକ ନୃସିଂହ ସାହୁ ଡାକ୍ତରଖାନାରେ ପହଞ୍ଚିଛି ତହସିଲଦାରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପୋଲିସ ଏହି ଘଟଣାରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଢେଙ୍କନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି, ମୋଟ୍ ୭ ଜଣ ଗିରଫ ହୋଇଛନ୍ତି । ଅନ୍ୟ କାହାର ସମ୍ପୃକ୍ତି ରହିଥିବାର ପ୍ରମାଣ ମିଳିଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।





