ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜିଙ୍କ ସହଯୋଗୀ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଇଡି ଚଢ଼ାଉ କରିଛି । ତାଙ୍କ ଘରୁ ନଗଦ ୨୦କୋଟି ଟଙ୍କା ମିଳିଛି । ତେଣୁ ତାଙ୍କୁ ପୁଲିସ ଗିରଫ କରିଛି । ଏହି ଘଟଣା ଚର୍ଚ୍ଚାରେ ଥିବାବେଳେ ସାମ୍ନାକୁ ଆସିଛି ଅର୍ପିତାଙ୍କ ଓଡ଼ିଶା ଲିଙ୍କ୍ । ଏ ଭିତରେ ଅର୍ପିତାଙ୍କୁ ନେଇ ଓଡ଼ିଶାରେ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଛି । ଓଡ଼ିଶାରେ ତାଙ୍କ ସହିତ ଯେଉଁମାନେ ସବୁ ସିନେମା କରିଥିଲେ ସେହି କଳାକାରଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି । କାଳେ ଅର୍ପିତାଙ୍କଠାରୁ କୌଣସି ତଥ୍ୟ ପାଇ ଇଡି ଓଡ଼ିଶାରେ ପହଞ୍ଚିବ । ସେଥିରେ ସମ୍ପୃକ୍ତ ଥିବା ସିନେମା ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରଙ୍କୁ ଜେରା କରିବ । ଖାଲି ସେତିକି ନୁହେଁ କିଛି ପ୍ରଯୋଜକ ଏବଂ ନିର୍ଦ୍ଦେଶକ ତାଙ୍କ ସହିତ ଯୋଗାଯୋଗରେ ଥିବା ସହ ମଝିରେ ମଝିରେ ବିଭିନ୍ନ କାର୍ୟ୍ୟକ୍ରମକୁ ଆସିବା ଲାଗି ତାଙ୍କୁ ନିମନ୍ତ୍ରଣ କରୁଥିଲେ । ନୂଆ ସିନେମା ନେଇ ବି କିଛି ଆଲୋଚନା କରିଥିବା ଶୁଣିବାକୁ ମିଳୁଛି । କିନ୍ତୁ ପ୍ରକୃତରେ ଏହା ପଛରେ କେତେ ବାସ୍ତବତା ରହିଛି ତାହା ତଦନ୍ତ ପରିସରଭୁକ୍ତ ହେଲେ ସବୁ ସତ ପଦାକୁ ଆସିବ ବୋଲି କିଛି କଳା ସମୀକ୍ଷକ କହିଛନ୍ତି । ସିନେ ଦୁନିଆରେ ଅର୍ପିତା ମୁଖାର୍ଜୀ ଜଣେ ଭଲ ଅଭିନେତ୍ରୀ । ବିଶେଷକରି ବଙ୍ଗଳା ଏବଂ ଓଡ଼ିଆ ସିନେମାରେ ତାଙ୍କ ନାଁ ରହିଛି । ମଡେଲିଂରୁ ଆସି ସେ ବଙ୍ଗଳା ସିନେମାରେ ପାଦ ରଖିଥିଲେ । ୨୦୦୫-୦୬ ମସିହାରେ ବଙ୍ଗଳା ସିନେମାରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ଓଡ଼ିଆ ସିନେ ଜଗତରେ ନାୟିକାଙ୍କ ଅଭାବ ପୂରଣ ପାଇଁ ବଙ୍ଗଳାରୁ ଓଡ଼ିଶା ଆସିଥିଲେ ଅର୍ପିତା । ବିଭିନ୍ନ ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ନିମନ୍ତ୍ରଣ ପାଇ ସେ ଏଠି ବି ଗୋଟିଏ ପରେ ଗୋଟିଏ ସିନେମା କରି ସଫଳତା ହାସଲ କରିଛନ୍ତି । ସେ ଏଠାରେ ଆଗଧାଡ଼ିର ନାୟିକା ଭାବେ ପରିଚିତ ହୋଇପାରିଥିଲେ । ଯେଉଁଥିପାଇଁ ୨୦୦୮ରୁ ୨୦୧୨ ପର୍ୟ୍ୟନ୍ତ ବିଭିନ୍ନ ସିନେମା ଭେଟି ଦେଇଥିଲେ । ତାଙ୍କ ଅଭିନୀତ ସିନେମାଗୁଡ଼ିକ ମଧ୍ୟରେ ୨୦୦୮ରେ ‘ବନ୍ଦେ ଉତ୍କଳ ଜନନୀ’, ୨୦୦୯ରେ ‘ପ୍ରେମ ରୋଗୀ’, ୨୦୧୦ରେ ‘ତୋର ମୋର ଯୋଡ଼ି ସୁନ୍ଦର’, ୨୦୧୦ରେ ‘ମୁଁ କ’ଣ ଏତେ ଖରାପ’, ୨୦୧୨ରେ ‘ରାଜୁ ଆୱାରା’ ଆଦି ଅନ୍ୟତମ । ଏ ସବୁ ଓଡ଼ିଆ ସିନେମାର ଆଗଧାଡ଼ିର ସବୁ ନାୟକ ଓ କଳାକାରମାନେ ଅଭିନୟ କରିଛନ୍ତି । ସେଥିରୁ ଅନେକ ନାୟକ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି । ଯଦି ଓଡ଼ିଶାରେ ଅର୍ପିତାଙ୍କ ସମ୍ପର୍କରେ ତଦନ୍ତ ହୁଏ ଏବଂ କୌଣସି ଲିଙ୍କ୍ ବାହାରେ ତେବେ କିଛି କଳାକାର ଅଡୁଆରେ ପଡ଼ିବାର ସମ୍ଭାବନା ଦେଖାଦେଇଛି ।





