ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଏସିଆନ ଗେମ୍ସରେ ଭାରତର ପାଇଁ ରେକର୍ଡ ସ୍ୱର୍ଣ୍ଣ ଜିତିଥିବା ଦୁଇ ଷ୍ଟାର ବ୍ୟାଡମିଣ୍ଟନ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ମିଳିବ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ସମ୍ମାନ। ସେହିପରି କ୍ରିକେଟର ମହମ୍ମଦ ଶାମିଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କାଯାଇଛି। ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏପରି ଘୋଷଣା କରାଯାଇଛି। ମନ୍ତ୍ରଣାଳୟ ଆଜି ୨୦୨୩ ଜାତୀୟ ପୁରସ୍କାର କେଉଁମାନେ ପାଇବେ ତା’ର ତାଲିକା ସାର୍ବଜନୀନ କରିଛି। ବ୍ୟାଡମିଣ୍ଟନ ପ୍ରତି ଚିରାଗ ଓ ସାତ୍ତ୍ୱିକ ବଳିଷ୍ଠ ଅବଦାନ ପାଇଁ ଉଭୟଙ୍କୁ ଖେଳ ରତ୍ନ ପୁରସ୍କାର ମିଳିବ। ଚଳିତ ବର୍ଷ ସାତ୍ତ୍ୱିକ ଓ ଚିରାଗ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟରେ ୬ ଥର ଫାଇନାଲ ଖେଳିଛନ୍ତି। ଇଣ୍ଡୋନେସିଆ ସୁପର ୧୦୦୦, କୋରିଆ ସୁପର ୫୦୦ ଓ ସ୍ୱିସ୍ ସୁପର ୩୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ସାତ୍ତ୍ୱିକ ଓ ଚିରାଗ ଜିତି ସାରିଛନ୍ତି। ତେବେ ଚାଇନା ମାଷ୍ଟର୍ସ ସୁପର ୭୫୦ର ଫାଇନାଲରେ ସେମାନଙ୍କୁ ହାରିବାକୁ ପଡ଼ିଥିଲା। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚିରାଗ ଓ ସାତ୍ତ୍ୱିକ ଯୋଡ଼ି ଚାମ୍ପିୟନ ହୋଇଥିଲେ। ଥୋମାସ କପରେ ଚାମ୍ପିୟନ ହୋଇଥିବା ଭାରତୀୟ ବ୍ୟାଡମିଣ୍ଟନ ଟିମରେ ଏମାନେ ଥିଲେ। ତେଣୁ ସେମାନଙ୍କୁ ଭାରତ ସରକାର କ୍ରୀଡ଼ା ଜଗତର ସର୍ବୋଚ୍ଚ ସମ୍ମାନ ଖେଳ ରତ୍ନରେ ସମ୍ମାନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ମହମ୍ମଦ ଶାମିଙ୍କ ବ୍ୟତୀତ ବିଭିନ୍ନ କ୍ରିଡ଼ାରେ ଉତ୍କର୍ଷ ଅବଦାନ ପାଇଁ ଆଉ ୨୫ ଜଣଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାନ ମିଳିବ। ଜାତୀୟ କ୍ରୀଡ଼ା ପୁରସ୍କାର ଜିତିଥିବା ଖେଳାଳିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁଆରୀ ୯ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନୀତ କରିବେ।






