ମୁମ୍ବାଇ, (ବାଘୁଆବାର୍ତ୍ତା): ବନ୍ଧା ହେଲେ ବଲିଉଡର ଜଣାଶୁଣା ଅଭିନେତ୍ରୀ ପାୟଲ ରୋହତଗୀ। ଅହମ୍ମଦାବାଦର ଷ୍ଟେଟଲାଇଟ୍ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ସୋସାଇଟି ଅଧ୍ୟକ୍ଷଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଦୁର୍ବ୍ୟବହାର ସହ ସୋସାଇଟିର ଅନ୍ୟ ବାସିନ୍ଦାଙ୍କୁ ମିଛ ମାମଲାରେ ଫସାଇବାକୁ ଧମକ ଦେଇଥିବା ଅଭିଯୋଗ ମଧ୍ୟ ତାଙ୍କ ନାଁରେ ରହିଛି। ଅଭିନେତ୍ରୀଙ୍କର ଏପରି ବ୍ୟବହାର କାରଣରୁ ସୋସାଇଟିର ଲୋକମାନେ ଦୀର୍ଘ ଦିନ ଧରି କ୍ଷୁବ୍ଧ ଥିଲେ ବୋଲି ଜଣାପଡିଛି। ଗଲା ୨୦ ତାରିଖରେ ତାଙ୍କ ସୋସାଇଟିରେ ବୈଠକ ହୋଇଥିଲା। ଏହି ବୈଠକକୁ ପାୟଲଙ୍କୁ ଡକା ହୋଇନଥିଲେ ବି ସେ ସେଠାରେ ପହଞ୍ଚି ଯାଇଥିଲେ। ସେ ଏହି ବୈଠକରେ ନିଜ ମତ ରଖିବାକୁ ମଧ୍ୟ ଚାହିଁଥିଲେ କିନ୍ତୁ ତାଙ୍କୁ ବାରଣ କରାଯାଇଥିଲା। ଏହାପରେ ସେ ସୋସାଇଟି ଅଧ୍ୟକ୍ଷଙ୍କୁ ଦୁର୍ବ୍ୟବହାର କରିବା ସହ ଗାଲିଗୁଲଜ କରିବା ଆରମ୍ଭ କରିଥିଲେ। ଏନେଇ ଅଧ୍ୟକ୍ଷ ଅଭିଯୋଗ କରିବା ପରେ ପୁଲିସ ପାୟଲଙ୍କୁ ଗିରଫ କରିଛି। ଏହାପୂର୍ବରୁ ମଧ୍ୟ ପାୟଲ ରୋହତଗୀ ଗିରଫ ହୋଇସାରିଛନ୍ତି। ୨୦୧୯ ରେ ନେହେରୁ-ଗାନ୍ଧୀ ପରିବାର ସମ୍ପର୍କୀତ ଏକ ପୋଷ୍ଟକୁ ନେଇ ସେ ବିବାଦ ମଧ୍ୟକୁ ଆସିଥିଲେ ଏବଂ ପରେ ସେହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।





