କଟକ, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ତେବେ ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଅର୍ଚ୍ଚନା ଜାମିନ ପାଇସାରିଛନ୍ତି । ତିନୋଟି ମାମଲାରେ ଜାମିନ ପାଇସାରିଥିବାରୁ ଏବେ ଅର୍ଚ୍ଚନା ଜେଲ୍ରୁ ମୁକୁଳିବା ନେଇ ଏକପ୍ରକାର ସ୍ପଷ୍ଟ ହୋଇଛି । ଜାମିନ ପାଇବା ପରେ ଅର୍ଚ୍ଚନାଙ୍କ ସମ୍ମୁଖରେ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ଖାସ୍ କରି ତାଙ୍କ ନାଁରେ ଚାଲିଥିବା ମାମଲା ସଂପର୍କରେ ବାହାରେ କୌଣସି ପ୍ରତିକ୍ରିୟା ରଖିପାରିବେ ନାହିଁ । ଏହାବାଦ୍ ତଦନ୍ତରେ ମଧ୍ୟ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ଦୁଇଟି ମାମଲାରେ ପୂର୍ବରୁ ଅର୍ଚ୍ଚନାକୁ ଜାମିନ ମିଳିସାରିଛି । ଅପ୍ରେଲ ୧୧ରେ ନୟାପଲ୍ଲୀ ଥାନା ମାମଲା ତାଙ୍କୁ ଜାମିନ ପ୍ରଦାନ କରିବା ସହ ବାହାରକୁ ନଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅଗଷ୍ଟ ୨ରେ ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଏହାସହ କିଛି ସର୍ତ୍ତ ମଧ୍ୟ ରଖିଥିଲେ । ତେବେ ହାଇକୋର୍ଟରୁ ତିନୋଟି ମାମଲାରେ ଜାମିନ ମିଳିସାରିବା ପରେ ଅର୍ଚ୍ଚନା ନାଗ ଜେଲ୍ରୁ ବାହାରିବା ନେଇ ଏକପ୍ରକାର ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିଲେ । ଏଥିରେ ତାଙ୍କୁ ସହଯୋଗ କରୁଥିଲେ ସ୍ବାମୀ ଜଗବନ୍ଧୁ । ଏମିତି ଅଭିଯୋଗ ଆସିବା ପରେ ତାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା ପୋଲିସ । ଏ ନେଇ ଅଧିକ ଖୋଳତାଡ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ପରେ ସହଯୋଗୀ ଖଗେଶ୍ବରଙ୍କୁ ମଧ୍ୟ ବାନ୍ଧିଥିଲା ପୋଲିସ । ଏହି ମାମଲାର ତଦନ୍ତ ଇଡି ଦ୍ବାରା କରାଯାଇଥିଲା । ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ବିଳାସପୂର୍ଣ୍ଣ କୋଠା ସମେତ ଖଗେଶ୍ୱରଙ୍କ କୋଠାକୁ ମଧ୍ୟ ଇଡି ଜବତ କରିଥିଲା । ଏହି ମାମଲାରେ ଅର୍ଚ୍ଚନା ନାଗଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱର ଏବେ ଝାରପଡା ଜେଲ୍ରେ ଅଛନ୍ତି ।





