ଭୋଗରାଇ, (ବାଘୁଆବାର୍ତ୍ତା): ରାଜ୍ୟ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ଛାତ୍ରୀ ଜୀବନରେ ଜାତୀୟ ସେବା ଯୋଜନା (ଏନଏସଏସ)ର ସର୍ବଶ୍ରେଷ୍ଠ ସ୍ୱେଚ୍ଛାସେବୀ ପୁରସ୍କାର ପାଇଥିଲେ । ଏହାର ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ ତାଙ୍କର ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ଚକିତ କରିଛି । ଭବାନୀପାଟଣାରୁ ଭୋଗରାଇ ହୋଇ ଭୁବନେଶ୍ୱର ପର୍ୟ୍ୟନ୍ତ ଯାତ୍ରାରେ ଅର୍ଚ୍ଚନାଙ୍କ ବିଭିନ୍ନ ରୂପ ବାସ୍ତବରେ ଆଶ୍ଚର୍ୟ୍ୟଜନକ । ଅର୍ଚ୍ଚନା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କଚୁଆଡି ବୈକୁଣ୍ଠ ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୧୪ରୁ ୨୦୧୬ ପର୍ୟ୍ୟନ୍ତ ଯୁକ୍ତ ୨ ବିଜ୍ଞାନ ବିଭାଗରେ ପାଠ ପଢ଼ି ଦ୍ୱିତୀୟ ଶ୍ରେଣୀରେ ପାସ କରିଥିଲେ । କେବଳ ଏତିକି ନୁହେଁ, କଲେଜର ଏନଏସଏସରେ ନିୟମିତ ଅଂଶଗ୍ରହଣ କରିବା ସହିତ ୨୦୧୫-୧୬ ବର୍ଷରେ ଅର୍ଚ୍ଚନା ସର୍ବଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବେ ପୁରସ୍କୃତ ହୋଇଥିଲେ । କଲେଜ ପରିସରରେ ଅନୁଷ୍ଠିତ ଜାତୀୟ ସେବା ଯୋଜନାର ଏକ ସ୍ୱତନ୍ତ୍ର ଉତ୍ସବରେ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅର୍ଚ୍ଚନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ କଲେଜର ଅଧ୍ୟକ୍ଷ ହରିପଦ ପ୍ରମାଣିକ, ପ୍ରତିଷ୍ଠାତା ସମ୍ପାଦକ ବାସୁଦେବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହାର ଫଟୋ କଚୁଆଡି ବୈକୁଣ୍ଠ ନାଥ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ୨୦୧୫- ୧୬ ମୁଖପତ୍ର ‘ବାସୁ’ର ଶେଷ ପୃଷ୍ଠାରେ ପ୍ରଚ୍ଛଦପଟ ଫଟୋ ଭାବେ ପ୍ରକାଶିତ ହୋଇଥିଲା । ଜଳେଶ୍ୱର ଅଞ୍ଚଳରେ ନିଜ ଶ୍ୱଶୁର ଘରେ ରହି ଉକ୍ତ କଲେଜରେ ପାଠ ପଢ଼ୁଥିବା ଜଣେ ସେବା ମନୋଭାବ ସମ୍ପନ୍ନ ଝିଅ ଏତେ ଅଳ୍ପ ସମୟ ମଧ୍ୟରେ କେମିତି ଜଣେ ବ୍ଲାକମେଲର ହେଲା, ସମସ୍ତଙ୍କୁ ତାଜୁବ କରିଛି ।





