ଅନୁଗୁଳ, (ବାଘୁଆବାର୍ତ୍ତା): ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର କନିଷ୍ଠ କିରାଣୀ ପଙ୍କଜିନି ବିଶ୍ଵାଳ । ୨୦୧୭ ମସିହାରେ ଅନୁଗୁଳ ତହସିଲ ଅଫିସରେ କାର୍ୟ୍ୟରତ ଥିବା ବେଳେ ଜମିପଟ୍ଟା ମ୍ୟୁଟେଶନ ବାବଦକୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଭିଜିଲାନ୍ସ ସ୍ପେଶାଲ ଜଜ୍ ଏହି ମାମଲାର ଶୁଣାଣି କରି ପଙ୍କଜିନିଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜୋରିମାନା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଆଉ ଦୁଇମାସ ଅଧିକା କାରାଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି । ଅନୁଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପଙ୍କଜିନୀଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି। ଦୁଇଟି ଜମିପଟ୍ଟା ମ୍ୟୁଟେସନ୍ ମାମଲାରେ ଫାଇଲ ପ୍ରସେସିଂ ପାଇଁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ମାମଲାର ପୂର୍ବତନ କନିଷ୍ଠ କିରାଣି ପଙ୍କଜିନୀ ବିଶ୍ବାଳ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ପଙ୍କଜିନୀ ଏବେ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସରେ କାର୍ୟ୍ୟରତ ଅଛନ୍ତି।





