ଡେରାଡୁନ, (ବାଘୁଆବାର୍ତ୍ତା): ଉତ୍ତରାଖଣ୍ଡ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ୟ୍ୟର ପିତା ବିନୋଦ ଆର୍ୟ୍ୟ ଓ ଭାଇ ଅଙ୍କିତ ଆର୍ୟ୍ୟକୁ ବିଜେପି ଶନିବାର ପାର୍ଟିରୁ ବହିଷ୍କାର କରିଛି। ଉଭୟଙ୍କୁ ତତ୍କାଳ ପାର୍ଟିରୁ ବହିଷ୍କୃତ କରାଯାଇଥିବା ବେଳେ ଅଙ୍କିତ ଆର୍ୟ୍ୟଙ୍କୁ ଉତ୍ତରାଖଣ୍ଡ ଅନ୍ୟ ପଛୁଆ ବର୍ଗ ଆୟୋଗର ନୋମିନେଟେଡ ଉପାଧ୍ୟକ୍ଷ ପଦରୁ ତୁରନ୍ତ ହଟାଇ ଦିଆଯାଇଛି। ଏ ନେଇ ଉତ୍ତରାଖଣ୍ଡ ବିଜେପିର ପ୍ରଦେଶ ମହାମନ୍ତ୍ରୀ ରାଜେନ୍ଦ୍ର ସିଂହ ବିଷ୍ଟଙ୍କ ନାମରେ ଜାରି ଏକ ବିବୃତ୍ତିରେ ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ଭଟ୍ଟ ଅଙ୍କିତା ହତ୍ୟାର ସଜ୍ଞାନ ନେଇ ହରିଦ୍ୱାର ନିବାସୀ ଡା. ବିନୋଦ ଆର୍ୟ୍ୟ ଓ ତାଙ୍କ ପୁତ୍ର ଅଙ୍କିତ ଆର୍ୟ୍ୟଙ୍କୁ ଭାରତୀୟ ଜନତା ପାର୍ଟିରୁ ତତ୍କାଳ ପ୍ରଭାବରେ ବହିଷ୍କାର କରାଯାଉଥିବା କୁହାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଅଙ୍କିତା ହତ୍ୟାକାଣ୍ଡ ମାମଲାରେ ଆମେ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ୟ୍ୟର ବଡ଼ ଭାଇ ଅଙ୍କିତ ଆର୍ୟ୍ୟଙ୍କୁ ଉତ୍ତରାଖଣ୍ଡ ଅନ୍ୟ ପଛୁବର୍ଗ ଆୟୋଗଙ୍କ ନୋମିନେଟଡ ଅଧ୍ୟକ୍ଷ ପଦରୁ ତତ୍କାଳ ପ୍ରଭାବରେ ହଟାଇ ଦେଇଛୁ। ଏହା ସହିତ ଅଙ୍କିତ ଆର୍ୟ୍ୟ ଓ ତାଙ୍କ ପିତା ବିନୋଦ ଆର୍ୟ୍ୟଙ୍କୁ ବିଜେପିରୁ ବହିଷ୍କାର କରିଦିଆଯାଇଛି ବୋଲି ସୂଚିତ କରିଛନ୍ତି।





