ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪ ଦୌଡରେ ନିଜକୁ ସାମିଲ କରାଇଛନ୍ତି ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀ । ନିକ୍କି ହେଲିଙ୍କ ପରେ ରାମାସ୍ୱାମୀ ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ଦୌଡରେ ସାମିଲ ହେବାରେ ଦ୍ୱିତୀୟ ଭାରତୀୟ ବଂଶୋଦ୍ଭବ ହୋଇଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଆମେରିକା ଲୋକଙ୍କ ମଧ୍ୟରେ ଯୋଗ୍ୟତା ଫେରାଇ ଆଣିବା ଏବଂ ଚୀନ ଉପରେ ନିର୍ଭରତାକୁ ଶେଷ କରିବା ପ୍ରତିଶ୍ରୁତି ସହ ସେ ୨୦୨୪ ନିର୍ବାଚନରେ ଛିଡା ହେବେ । ରିପବ୍ଲିକାନ ପାର୍ଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟରେ ଏହି ଦୌଡରେ ଅଛନ୍ତି । ବିଲେନିୟର ବ୍ୟବସାୟୀ ବିବେକ ରାମାସ୍ୱାମୀ (୩୭)ଙ୍କ ପରିବାର ହେଉଛି କେରଳର ମୂଳ ବାସିନ୍ଦା । ପରେ ପୂରା ପରିବାର ଆମେରିକା ଚାଲି ଯାଇଥିଲା । ଆମେରିକାର ଫୋକ୍ସ ନ୍ୟୁଜର ପ୍ରାଇମ ଟାଇମ୍ ସୋରେ ଏକ ସକ୍ଷାତକାର ସମୟରେ ରାମାସ୍ୱାମୀ ଏହି ଘୋଷଣା କରିଛନ୍ତି । ବିଲେନିୟର ବିବେକ ରାମାସ୍ୱାମୀ ୨୦୧୪ରେ ରୋଇଭେଣ୍ଟ ସାଇନସେସର ପ୍ରତିଷ୍ଠା କରିଥିଲେ ଏବଂ ୨୦୧୫ ଏବଂ ୨୦୧୬ରେ ସବୁଠୁ ବଡ଼ ବାୟୋଟେକ୍ ଆଇପିଓର ନେତୃତ୍ୱ ନେଇଥିଲେ । ଏହାସହ ସେ ଅନେକ ସଫଳ ସ୍ୱାସ୍ଥ୍ୟ ସେବା ଏବଂ ଉଦ୍ୟୋଗ କମ୍ପାନି ପ୍ରତିଷ୍ଠା କରିଛନ୍ତି । ୨୦୨୨ ମସିହାରେ ରାଜନୀତି ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ନାଗରିକଙ୍କ ସ୍ୱରକୁ ବଳ ଦେବା ଉଦ୍ଦେଶ୍ୟରେ ଏକ ନୂଆ ଫାର୍ମ ଷ୍ଟ୍ରାଇଭ ଆସେଟ୍ ମ୍ୟାନେଜମେଣ୍ଟ ଆରମ୍ଭ କରିଥିଲେ । ହାବର୍ଡ ଏବଂ ୟେଲେ ବିଶ୍ୱବିଦ୍ୟାଳୟରୁ ପଢିଥିବା ବିବେକ ରାମାସ୍ୱାମୀଙ୍କ ମୋଟ ସମ୍ପତ୍ତି ୫୦୦ ମିଲିୟନ ଡାଲର ଉପରେ ରହିଛି । ରାମାସ୍ୱାମୀ ଫୋକ୍ସ ନ୍ୟୁଜକୁ କହିଛନ୍ତି, ‘ଆମେରିକାକୁ ଚୀନ ପରି ବାହାର ବିପଦର ସାମନା କରିବାକୁ ପଡୁଛି । ଏହା ଆମର ଶୀର୍ଷ ବିଦେଶ ନୀତି ପାଇଁ ବିପଦ ପାଲଟିଛି, ଯାହାର ଜବାବ ଆମକୁ ଦେବାକୁ ପଡିବ । ଏଥିପାଇଁ କିଛି ବଳିଦାନର ଆବଶ୍ୟକତା ପଡିବ, କିଛି ଅସବୁଧା ମଧ୍ୟ ହେବ’ । ସାକ୍ଷତକାରରେ ରାମାସ୍ୱାମୀ କହିଛନ୍ତି, ‘ଆମେ ବର୍ତ୍ତମାନ ରାଷ୍ଟ୍ରୀୟ ପରିଚୟ ସଂକଟର ସାମନା କରୁଛି । ଦେଶରେ ସେହି ପୁରୁଣା ଆଦର୍ଶକୁ ପର୍ନଃଜୀବିତ କରାଇବା ପାଆଇଁ ଆମେରିକା ରାଷ୍ଟ୍ରପତି ଦୌଡରେ ସାମିଲ ହେଉଛି’ ।





