ଛତ୍ରପୁର, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲାରେ କାର୍ୟ୍ୟକାରୀ କରାଯାଇଥିବା ପ୍ଲାଷ୍ଟିକ୍ ବ୍ୟବହାର ଶୂନ କାର୍ୟ୍ୟକ୍ରମକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଏଣୁ ଏହି କାର୍ୟ୍ୟରେ ନିୟୋଜିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇବା ସହ କାର୍ୟ୍ୟ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ମଙ୍ଗଳବାର ଅନୁଷ୍ଠିତ ଆଭାସୀ ବୈଠକରେ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ କହିଥିଲେ ଯେ- ଜଳ ସ୍ୱଚ୍ଛତା ଏବଂ ପ୍ଲାଷ୍ଟିକର ଶୂନ ବ୍ୟବହାର ନେଇ ପ୍ରତ୍ୟେକ ସୋମବାର ପୂର୍ବାହ୍ନରେ ୩ ଘଣ୍ଟା ବିନିଯୋଗ କରି ଏହି କାର୍ୟ୍ୟ କରନ୍ତୁ । ଜିଲ୍ଲାରେ ଥିବା ଜଳଉତ୍ସଗୁଡିକର ତଥ୍ୟ ସଂଗ୍ରହ କରାଯିବ । ଲୋକଙ୍କ ବ୍ୟବହାର ଦିଗରେ କେତେ ପୋଖରୀ ରହିଛି, ସେଗୁଡିକ କେତେ ଅଞ୍ଚଳରେ ବ୍ୟାପ୍ତ, ପୋଖରୀର ଉନ୍ନତି ଦିଗରେ କେଉଁ ସବୁ କାର୍ୟ୍ୟ ହୋଇଛି ଏବଂ ଆଉ କଣ ଆବଶ୍ୟକତା ରହିଛି ତାହାକୁ ଆଧାର କରି ଆଗାମୀ କାର୍ୟ୍ୟପନ୍ଥା ସ୍ଥିର କରାଯିବ । ସମସ୍ତ ପୋଖରୀ ପରିଚାଳନା ଦିଗରେ ସ୍ଥାନୀୟ କମିଟି ଗଠନ କରାଯାଇ ସୌନ୍ଦର୍ୟ୍ୟକରଣ ଓ ରକ୍ଷଣାବେକ୍ଷଣ ହେବ । ଏହି ସମସ୍ତ କାର୍ୟ୍ୟ “ଆମ ପୋଖରୀ ଆମ ଦାୟିତ୍ୱ’ ସ୍ଲୋଗାନ ନେଇ କାର୍ୟ୍ୟକାରୀ କରାଯିବ । ଜଳ ସ୍ୱଚ୍ଛତା ପରୀକ୍ଷଣ ହୋଇ ପୋଖରୀ ସୌନ୍ଦର୍ୟ୍ୟକରଣ ପୁରସ୍କାର ପ୍ରଦାନ କରାଯିବ । ଜିଲ୍ଲାରୁ ସମସ୍ତ ଏନ୍ଏସିରେ ପୋଖରୀରେ ଖୋଲା ଗାଧୋଇବା ସ୍ଥାନ ଏବଂ ପୋଖରୀ ନିକଟରେ ଠିକ ଶୌଚାଳୟ ନିର୍ମାଣ ହେବ । ଆବର୍ଜନା ସଫେଇ କାର୍ୟ୍ୟ ଅନବରତ ଚାଲୁ ରଖିବାକୁ ପଡିବ । ଏହାକୁ ବର୍ଷେ କିମ୍ବା ଦୁଇ ବର୍ଷ ପର୍ୟ୍ୟନ୍ତ ଲଗାତର କରାଯାଇ ଲୋକଙ୍କ ଅଭ୍ୟାସକୁ ସଠିକ ପରିଚାଳନା କରାଗଲେ ନିଶ୍ଚିତରୂପେ ସଫଳ ହେବ ଏବଂ ଗଞ୍ଜାମ ଜିଲ୍ଲାର ସୁନାମ ବଢିବ । ଏଥିରେ ଗୋଷ୍ଠୀଗତ ସହଭାଗିତା ଆବଶ୍ୟକ ବୋଲି ଜିଲ୍ଲାପାଳ ଜଣାଇଥିଲେ । ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏସ୍ଓପି ଜାରି କରାଯିବ ଏବଂ “ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା’ ସ୍ଲୋଗାନ ନେଇ ଏହି କାର୍ୟ୍ୟଧାରା ଚାଲୁ ରଖାଯିବ । ଦଶହରା ପୂଜା ସମୟରେ କୋଭିଡ୍ ନିୟମ ଅନୁପାଳନ କରିବାକୁ ଜନସାଧାରଣଙ୍କୁ କୁହାଯାଇଛି । ପାର୍ବଣ ଋତୁରେ ଭିଡ ଜମାନ୍ତୁ ନାହିଁ କିମ୍ବା ଗହଳିପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ । ଦୋକାନ ବଜାର ଗୁଡିକରେ ଗହଳି ଯେପରି ହେବ ନାହିଁ ସେଦିଗରେ ବ୍ୟବସାୟୀ ସତର୍କ ରୁହନ୍ତୁ । ଗ୍ରାହକ ଏବଂ ବ୍ୟବସାୟୀ ଉଭୟେ ମାସ୍କ ବ୍ୟବହାର ସୁନିଶ୍ଚିତ କରନ୍ତୁ । ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ନଚେତ୍ ତୃତୀୟ ଲହର ବ୍ୟାପିବା ସମ୍ଭାବନା ରହିଛି । ସମସ୍ତ ପୂଜା ମଣ୍ଡପରେ ଜନଗହଳି ଯେପରି ହେବ ନାହିଁ ତାହାକୁ ଦୃଷ୍ଟିରେ ରଖି ମୂର୍ତ୍ତି ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରହିବ । ସମସ୍ତ ପୂଜା ମଣ୍ଡପ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ଗ୍ରହଣ କରି ପୂଜା କରିବେ । ବାଣ ଫୁଟା କଟକଣାକୁ କଡାକଡି କରାଯିବା ଦୃଷ୍ଟିରୁ ଉପଜିଲ୍ଲାପାଳ ଏବଂ ତହସିଲଦାରଗଣ ଚଢଉ କାର୍ୟ୍ୟ ଜାରି ରଖିବେ । ଦାଣ୍ଡିଆ କିମ୍ବା ଗରବା ନୃତ୍ୟକୁ ବାରଣ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଛି । ଜିଲ୍ଲାର ପ୍ରଥମ ପର୍ୟ୍ୟାୟରେ ୮୩ ଗୋଟି ଉଚ୍ଚବିଦ୍ୟାଳୟର ୫-ଟି ଟ୍ରାନ୍ସଫର୍ମେସନ୍ କାର୍ୟ୍ୟ ଚଳିତ ମାସ ଶେଷ ସୁଦ୍ଧା ସାରିବାକୁ କୁହାଯାଇଛି । ପୂଜା ଛୁଟି ସମୟରେ ବିଦ୍ୟାଳୟ ଗୁଡିକର ଉନ୍ନୟନ କାର୍ୟ୍ୟ ଚାଲୁ ରହିବ । ନଭେମ୍ବର ପ୍ରଥମ ସପ୍ତାହରେ ଉକ୍ତ ବିଦ୍ୟାଳୟ ଗୁଡିକର ଲୋକାର୍ପଣ ହେବ । ଡିଜିଟାଲ୍ ପାୱାର୍ପଏଣ୍ଟ୍ ପ୍ରେଜେଣ୍ଟେସନ୍ ଦ୍ୱାରା ସ୍ମାର୍ଟ କ୍ଲାସରେ ଶିକ୍ଷା ପ୍ରଦାନ କରାଯିବ । ଏଣୁ ଜିଲ୍ଲାରେ କାର୍ୟ୍ୟ କରୁଥିବା କମ୍ପ୍ୟୁଟରରେ ଅଭିଜ୍ଞ ଶିକ୍ଷକମାନଙ୍କୁ ଚିହ୍ନଟ କରିବାକୁ ସମସ୍ତ ବିଇଓଙ୍କୁ ଅବଗତ କରାଇଛନ୍ତି ଜିଲ୍ଲାପାଳ । ସେମାନଙ୍କ ଦ୍ୱାରା ପାୱାର ପଏଣ୍ଟ ବ୍ୟାଙ୍କ୍ ପ୍ରସ୍ତୁତ କରାଯାଇ ଶିକ୍ଷା ଦିଆଯିବ । ଏହି ଦିଗରେ ତତ୍ପରତା ପ୍ରକାଶ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦେ୍ଧଶ୍ୱର ବଳିରାମ ବୋନ୍ଦାର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।






