ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ସିବିକେ ମହାନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ତଳ ଉପର ହେଉଛି । ଯେଉଁଠି ଅଧିକ ସଂକ୍ରମଣ ରହୁଛି ସେଠାରେ ଅଧିକ ଫୋକସ୍ ଦେଇ କାମ କରିବାକୁ ଚେଷ୍ଟା କରୁଛୁ। ଭୁବନେଶ୍ଵରରେ ବାହାର ଲୋକମାନଙ୍କ ଯାତାୟତ ଅଧିକ ଥିବାରୁ ଏଠାରେ ସଂକ୍ରମଣ ଅଧିକ ରହୁଛି। ତେଣୁ ଭୁବନେଶ୍ଵରରେ ସର୍ଭିଲାନ୍ସ ବଢାଯାଇଛି। ଆଗକୁ ଅହୁରି କମିବ ବୋଲି ଆଶା ରହିଛି ବୋଲି କହିଛନ୍ତି ଡିଏମଇଟି। ଡିଏମଇଟି ପୁଣି କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅନଲକ୍ ହେବ । ଯଦି ସେମିତି ଆବଶ୍ୟକ ନହୁଏ ତେବେ ଅନଲକ୍ ହେବ ନାହିଁ । ପରିସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ । ତରବରିଆ ନିଷ୍ପତ୍ତି ନେଲେ ଆମ ପାଇଁ ବିପଦ ସୃଷ୍ଟି ହେବ । ଦେଶରେ ଯଦି କେଉଁଠି ବଢୁଛି ତେବେ ଏହା ତୃତୀୟ ଲହର ଲକ୍ଷଣ ବୋଲି ଧରାଯିବ । କାରଣ ପ୍ରତି ପାଣ୍ଡେମିକରେ ଏମିତି ଦେଖାଯାଇଛି । ସେପଟେ ସୁନ୍ଦରଗଡରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି। ସେ କହିଛନ୍ତି ଯେ, ଏଥିପାଇଁ ନିର୍ମାଣ କାମ ଶେଷ ହୋଇଛି। ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ତେଣୁ ପଛେଇବାର ପ୍ରଶ୍ନ ନାହିଁ । ରାଜ୍ୟ ସରକାର ଜମି ଓ ଅର୍ଥ ଯୋଗାଇ ଦେବାକୁ ରାଜି ଅଛନ୍ତି । କିନ୍ତୁ ଆମେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ । ସୁନ୍ଦରଗଡରେ ଦ୍ଵିତୀୟ ଏମ୍ସ ହେଲେ ପଶ୍ଚିମ ଓଡିଶାର ଆଦିବାସୀ ବହୁଳ ଲୋକ ଅଧିକ ଉପକୃତ ହେବେ । ମେଡିକାଲ କଲେଜଗୁଡିକୁ ସନ୍ତୁଳିତ ଭାବେ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଯେତେ ଶୀଘ୍ର ହେବ ରାଜ୍ୟର ସମସ୍ତ ମେଡିକାଲ ଓ ପାରା ମେଡିକାଲ କଲେଜ ଖୋଲାଯିବ ବୋଲି ଡିଏମଇଟି କହିଛନ୍ତି ।





