ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଅଲ୍ ଓଡ଼ିଶା ପେଣ୍ଟିଂ ଆଣ୍ଡ ଆଡଭର୍ଟାଇଜମେଣ୍ଟ ୱାର୍କସ୍ ଆସୋସିଏସନ ନୟାଗଡ଼ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସରକାର ୱାଲପେଣ୍ଟିଂ ପାଇଁ ଆସୁଥିବା ଅର୍ଥକୁ ୱାଲ ପେଣ୍ଟିଂ ମାଧ୍ୟମରେ ଖର୍ଚ୍ଚ କରିବା, ଜିଲ୍ଲାରେ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ପକ୍ଷରୁ ହେଉଥିବା ବିଜ୍ଞାପନ ଓ ପ୍ରାଚୀର ଲିଖନର ଦାୟିତ୍ୱ ଲାଭଖୋର ଠିକାଦାରଙ୍କ ବଦଳରେ ପେଣ୍ଟର କିମ୍ବା ସେମାନଙ୍କ ଦଳକୁ ଦେବା ପାଇଁ ବ୍ୟବସ୍ଥା କରିବା, ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ହେଉଥିବା ସ୍ୱଚ୍ଛଭାରତ ବିଜ୍ଞାପନକୁ ଷ୍ଟିକରଂ ନୁହେଁ ୱାଲ ପେଣ୍ଟିଂ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ଉଦ୍ଦେଶ୍ୟରେ ଆଜି ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଜୀବିକାକୁ ବଞ୍ଚାଇ ରଖିବା ଓ ଏଥିରେ ନିୟୋଜିତ ଶ୍ରମିକଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଗତ ୪ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଉକ୍ତ ଅନୁଷ୍ଠାନ ଗଢି ଉଠିଛି । ରାଜ୍ୟର ସମସ୍ତ ଜିଲ୍ଲାର ଶ୍ରମିକମାନେ ଏହି ସଂଘରେ ସାମିଲ ଅଛନ୍ତି । ରଙ୍ଗତୁଳୀ କଳାକାରଙ୍କୁ ଶ୍ରମିକ ସୂଚୀରେ ସାମିଲ କରି ପରିଚୟ ପ୍ରଦାନ କରିବା, ସାମାଜିକ ସୁରକ୍ଷା, ବର୍ଷସାରା କାମ ଓ ସମ୍ମାନ ଜନକ ସଠିକ୍ ମଜୁରି ବ୍ୟବସ୍ଥା, ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ପକ୍ଷରୁ ହେଉଥିବା ବିଜ୍ଞାପନକୁ ଲାଭଖୋର ଠିକାଦାର ବଦଳରେ ପେଣ୍ଟରମାନଙ୍କୁ ପ୍ରଦାନ କରିବା । ଏହା ଉପରେ ବିକ୍ଷୋଭ ପ୍ରଦର୍ଶନ ସହ ଆଲୋକପାତ କରିଥିଲେ । ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ ନିମନ୍ତେ ଜିଲ୍ଲା ସଭାପତି ବିଜୟ କୁମାର ସାହୁ, ସମ୍ପାଦକ ସୁଧୀର କୁମାର ଜେନା ଓ ସାଧାରଣ ସମ୍ପାଦକ ରଞ୍ଜନ କୁମାର ମିଶ୍ରଙ୍କ ନେତୃତ୍ୱରେ ବହୁ ପେଣ୍ଟର ଯୋଗଦେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।





