ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରୁ ଧରା ପଡିଲା ପାକ୍ ଆତଙ୍କୀ । ଜବତ ହେଲା ଏକେ-୪୭ । ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ୍ ଲକ୍ଷ୍ମୀ ନଗରର ରମେଶ ପାର୍କ ଅଞ୍ଚଳରେ ରହୁଥିବା ପାକିସ୍ତାନ ଆତଙ୍କୀ ମହମ୍ମଦ ଅଶରଫକୁ ଗିରଫ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ କରିଛି। ଅଶରଫ ପାକିସ୍ତାନ ନାଗରିକ ହୋଇଥିଲେ ହେଁ ଏଠାରେ ନକଲି ଦସ୍ତାବିଜ ସହ ରହୁଥିଲା। ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଠାରୁ ତାଲିମ ନେଇଥିଲା। ଦିଲ୍ଲୀରେ ବିସ୍ଫୋରଣ କରିବା ହିଁ ତା’ର ମୂଳ ଲକ୍ଷ୍ୟ ଥିଲା। ସୂଚନାନୁସାରେ, ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ୍ ଲକ୍ଷ୍ମୀନଗରର ରମେଶ ପାର୍କ ଅଞ୍ଚଳରେ ଚାଲିଥିବା ଆତଙ୍କୀ କାର୍ୟ୍ୟକଳାପ ସମ୍ପର୍କରେ ଖବର ପାଇ ରେଡ୍ କରିଥିଲା। ରେଡ୍ ପରେ ପୁଲିସ୍ ଅଧିକାରୀଙ୍କ ପଞ୍ଝାରେ ଅଶରଫ ପଡ଼ିଥିଲା। ତା’ ନିକଟରୁ ଏକେ -୪୭ ରାଇଫଲ, ୬୦ ରାଉଣ୍ଡ ଗୁଳି ସହ ଅତିରକ୍ତ ମାଗାଜିନ, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ, ୨ଟି ଅତ୍ୟାଧୁନିକ ପିସ୍ତଲ ଓ ୫୦ ରାଉଣ୍ଡ ଗୁଳି ଜବତ କରାଯାଇଛି। ତା’କୁ ସୋମବାର ରାତି ୯.୩୦ରେ ଗିରଫ କରାଯାଇଥିଲା। ତା’ ଘର ପାକିସ୍ତାନର ନାରୋବାଲରେ ବୋଲି ଜଣାପଡ଼ିଛି। ସ୍ପେଶାଲ ସେଲ ତା’ ନାଁରେ ୟୁଏପିଏ, ଆର୍ମସ ଆକ୍ଟ, ବିସ୍ଫୋରକ ଖଚିତ ରଖିବା ଭଳି ଆଇନ ଅନୁସାରେ ମାମଲା କରାଯାଇଛି। ମହମ୍ମଦ ଅଶରଫ ପାକିସ୍ତାନର ହୋଇଥିଲେ ହେଁ ଭାରତୀୟ ନାଗରିକ ବୋଲି ଜାଲ ଦସ୍ତାବିଜ ହାସଲ କରିଥିଲା। ଏହାକୁ ଆଧାର କରି ସେ ଦିଲ୍ଲୀରେ ରହୁଥିଲା। ତେବେ ସେ କେବେ ଠାରୁ ଦିଲ୍ଲୀରେ ରହିଥିଲା? ତା’ ସହ ଆଉ କେଉଁମାନେ ସାମିଲ ଅଛନ୍ତି, ସେକଥା ଏଯାଏ ଜଣାପଡ଼ିନି।






