ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଘଣାଶାଳିଆଠାରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତବ୍ୟକ୍ତି ହେଲେ ନରସିଂହପୁର ଥାନା ଅନ୍ତର୍ଗତ ପଦାମାଳ ଗ୍ରାମର ମାଟିଆ ଦଳେଇଙ୍କ ପୁଅ ମାନସ କୁମାର ଦଳେଇ (୨୮) । ସୂଚନାନୁସାରେ, ମାନସ ଗତକାଲି ରାତିରେ ତାଙ୍କ ସାଙ୍ଗ ଦିଲ୍ଲିପ କୁମାର ନାୟକକୁ କଣ୍ଟିଲୋରୁ ନେବା ପାଇଁ ଘରୁ ଆସିଥିଲେ । ଦିଲ୍ଲିପକୁ ସାଙ୍ଗରେ ଧରି ଏକ ବାଇକ ଯୋଗେ ସେ ପଦାମାଳ ଫେରିବା ବାଟରେ ଘଣାଶାଳିଆଠାରେ ଗୋଟିଏ ଗାଡ଼ି ସହ ତାଙ୍କ ବାଇକର ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଦିଲ୍ଲିପ ଓ ମାନସଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା । ନୟାଗଡ଼ ଡାକ୍ତରଖାନାରେ ମାନସଙ୍କର ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲିପଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଡାକ୍ତରଖାନାରେ ପହଂଚି ମାନସଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣାର ତଦନ୍ତ କରୁଛି ।