ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆରେ ତଥ୍ୟ ଲିକର ବଡ଼ ଅଘଟଣ ସାମ୍ନାକୁ ଆସିଛି । ଏୟାର ଇଣ୍ଡିଆର ସେବା ପାଇଥିବା ପ୍ରାୟ ୪୫ ଲକ୍ଷ ଭାରତୀୟ ଓ ବିଦେଶୀ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକାରମାନେ ଚୋରି କରି ନେଇଥିବା ଜଣାପଡିଛି । ଏୟାର ଇଣ୍ଡିଆ କହିଛି ଯେ ୨୦୧୧ ମସିହା ଅଗଷ୍ଟ ୨୬ ରୁ ୨୦୨୧ ଫେବୃଆରୀ ୩ ଯାଏ ଯାତ୍ରୀଙ୍କ ତଥ୍ୟ ଲିକ ହୋଇଛି । ଲିକ ତଥ୍ୟ ଗୁଡିକ ମଧ୍ୟରେ ଯାତ୍ରୀଙ୍କ ଜନ୍ମସ୍ଥାନ, ନାମ କଣ୍ଟାକ୍ଟ ଇନଫରମେସନ, ପାସପୋର୍ଟ, ଟିକେଟ ଓ କ୍ରେଡିଟ କାର୍ଡ ସମ୍ପର୍କିତ ତଥ୍ୟ ରହିଛି । ହ୍ୟାକରମାନେ ଏୟାର ଇଣ୍ଡିଆର ପ୍ୟାସେଞ୍ଜର ସର୍ଭିସ ସିଷ୍ଟମର ପ୍ରୋସେସରକୁ ହ୍ୟାକ କାରି ଏପରି ତଥ୍ୟ ହାସଲ କରିନେଇଛନ୍ତି । ଏୟାର ଇଣ୍ଡିଆ କହିଛି ଯେ ଏହି ତଥ୍ୟ ଲିକ ଘଟଣାରେ ୪୫ ଲକ୍ଷ ଯାତ୍ରୀଙ୍କ ବ୍ୟକ୍ତିଗତ ସୂଚନା ପ୍ରଭାବିତ ହୋଇଛି । କୌଣସି କ୍ରେଡିଟ କାର୍ଡର ସିଭିଭି-ସିଭିସି ନମ୍ବର ଆମ ପ୍ରୋସେସରରେ ରଖାଯାଏ ନାହିଁ । କିନ୍ତୁ ହ୍ୟାକରମାନେ କ୍ରେଡିଟ କାର୍ଡର ତଥ୍ୟ ହାସଲ କରିଛନ୍ତି । ଏଯାଏ ଲିକ ତଥ୍ୟକୁ କୌଣସି ବଡ ଅଘଟଣ ଘଟିନାହିଁ । ତଥ୍ୟର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ତଥ୍ୟ ଲିକ ଘଟଣାର ତଦନ୍ତ କରାଯାଉଛି । ଏଥିପାଇଁ ସୁରକ୍ଷା ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯାଉଛି । କ୍ରେଡିଟ କାର୍ଡ କମ୍ପାନୀଗୁଡିକୁ ପାସୱାର୍ଡ ବଦଳାଇବା ବିଷୟରେ ଗ୍ରାହକଙ୍କୁ ଜଣାଇବାକୁ କୁହାଯାଇଛି । ଏୟାର ଇଣ୍ଡିଆରେ ବାରମ୍ବାର ଯାତାୟାତ କରୁଥିବା ଯାତ୍ରୀମାନଙ୍କୁ ମଧ୍ୟ ପାସୱାର୍ଡ ବଦଳାଇବାକୁ ପରାମର୍ଶ ଦିଆଯାଇଛି । ଏୟାର ଲାଇନ୍ସ କହିଛି ଯେ “ଏୟାର ଇଣ୍ଡିଆ ଏହାର ଗ୍ରାହକମାନଙ୍କୁ ଜଣାଇବାକୁ ଚାହୁଁଛି ଯେ ଅତ୍ୟାଧୁନିକ ସାଇବର ଆଟାକର ସୂଚନା ମିଳିଛି । ହ୍ୟାକରମାନେ ଏୟାର ଇଣ୍ଡିଆର ସର୍ଭରୁ ହ୍ୟାକ କରି ୪୫ ଲକ୍ଷ ଯାତ୍ରୀଙ୍କ ତଥ୍ୟ ଚୋରି କରିଛନ୍ତି । ଫେବୃଆର ମାସରୁ ହ୍ୟାକ ବନ୍ଦ ହୋଇଗଲାଣି । ତଥାପି ହ୍ୟାକ ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ ପାଇଁ ଫରେନସିକ ଯାଞ୍ଚ କରାଯାଉଛି । ହ୍ୟାକ ପରେ ମଧ୍ୟ ସିଷ୍ଟମରେ କୌଣସି ଅନାଧିକୃତ କାର୍ଯ୍ୟକଳାପ ଚିହ୍ନଟ ହୋଇନାହିଁ ।” କେବଳ ଏୟାର ଇଣ୍ଡିଆ ନୁହେଁ, କିଛି ବିଦେଶୀ ବିମାନ ସେବା ପ୍ରଦାନକାରୀ ସଂସ୍ଥାର ତଥ୍ୟକୁ ମଧ୍ୟ ହ୍ୟାକ କରାଯାଇଥିବା ଜଣାପଡିଛି ।






