ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ‘କୃଷକ ଉତ୍ପାଦକ ଗୋଷ୍ଠୀ’ ଗଠନ ଏବଂ ଏହାର ସୁପରିଚାଳନା କରିବା ଲକ୍ଷ୍ୟରେ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଆଜି କୃଷିଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଏବଂ ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ ପକ୍ଷରୁ ଏହାର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଶାର୍ଦ୍ଦୁଳ ଯାଦବଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ ପକ୍ଷରୁ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ‘କୃଷକ ଉତ୍ପାଦକ ଗୋଷ୍ଠୀ’ଙ୍କୁ ରାଜ୍ୟରେ ଗଠନ କରିବା ସହିତ ଓଡ଼ିଶାର କ୍ଷୁଦ୍ର ଓ ନାମମାତ୍ର କୃଷକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ କ୍ଷେତ୍ରର ସମସ୍ୟା ଯଥା ଉତ୍ପାଦନ, ବୈଷୟିକ ଜ୍ଞାନକୌଶଳ, ଉତ୍ପାଦିତ ଦ୍ରବ୍ୟର ଗୁଣାତ୍ମକ ମାନ, କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ, ଋଣ ଗ୍ରହଣ, ବିହନ ଉତ୍ପାଦନ, ପ୍ରକି୍ରୟାକରଣ, ବିନିଯୋଗ ଓ ସର୍ବୋପରି ବଜାର ସୃଷ୍ଟି କରିବା ଉପରେ ପ୍ରଶିକ୍ଷଣ ସହ ଉପଯୁକ୍ତ ପରାମର୍ଶ ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ, ଏଭଳି ଏକ କେନ୍ଦ୍ରୀୟ ଯୋଜନା ରାଜ୍ୟର କୃଷକମାନଙ୍କ ହିତରେ ବିନିଯୋଗ ହେବାକୁ ଯାଉଛି ଏବଂ କୃଷକ ଉତ୍ପାଦକ ଗୋଷ୍ଠୀଗୁଡ଼ିକ ସମବାୟ ଆଇନ ଦ୍ୱାରା ପରିଚାଳିତ ହେବାର ବ୍ୟବସ୍ଥା ରହିଛି । ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ, ନୂଆଦିଲ୍ଲୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ଦୀପ କୁମାର ନାୟକ ଏବଂ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗଙ୍କ ଉଦ୍ୟମ କ୍ରମେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି ।





