ବାଲେଶ୍ବର,(ବାଘୁଆବାର୍ତ୍ତା): ଓଏଏସ୍ ଭଳି ୧୨ ବର୍ଷର ଲୋଭନୀୟ ଚାକିରି ଛାଡ଼ି ଚାଷକୁ ଆପଣେଇ ନେଲେ। ଇଣ୍ଟରନେଟ୍, ୟୁଟୁବ୍ ଦେଖି ଆଧୁନିକ ଜ୍ଞାନକୌଶଳରେ ଆଜି ମୁକ୍ତାଚାଷ ଓ ସୁଗାର ଫ୍ରି ‘ଷ୍ଟିଭିଆ’ (ମିଠା ଜାତୀୟ ଗଛ) ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଖାଲି ସେ ଏକୁଟିଆ ନୁହେଁ, ଅନେକ ଲୋକଙ୍କୁ ତାଲିମ୍ ଦେଇ ରୋଜଗାରକ୍ଷମ କରାଇଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି। କୃଷି ଭଳି ବୃତ୍ତିକୁ ବାଛିଥିବା ଏହି ଉଚ୍ଚଶିକ୍ଷିତା ମହିଳା ଉଦ୍ୟୋଗୀ ଜଣକ ହେଉଛନ୍ତି ବାଲେଶ୍ବର ରେମୁଣା ଗୋଲେଇ ବାସିନ୍ଦା ଡ. ନିନା ସିଂ (୪୯)। ଓଡ଼ିଶା ସିଭିଲ ସର୍ଭିସ (ଓଏଏସ୍) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୧୯୯୯ ମସିହାରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ ଡ. ନିନା। ପରେ ବାଲେଶ୍ବର, ଭଦ୍ରକ ଓ ଭୁବନେଶ୍ବରେ ବିଭିନ୍ନ ପଦପଦବିରେ ୧୨ ବର୍ଷ ଚାକିରି କରିଥିଲେ। ନିନାଙ୍କର ପ୍ରଥମରୁ ବ୍ୟବସାୟ ପ୍ରତି ରୁଚି ରହିଥିଲା। ଚାକିରିରେ ମନ ନ ଲାଗିବାରୁ ସେ ଓଏଏସ୍ ଛାଡ଼ିବାକୁ ସ୍ଥିର କରିଥିଲେ।






