ନୟାଗଡ଼,(ବାଘୁଆବାର୍ତ୍ତା) : ଭକ୍ତର ଭାବରେ ବନ୍ଧା କାଳିଆଠାକୁର । କେତେବେଳେ ଦାଶିଆ ବାଉରି ହାତରୁ ନଡ଼ିଆ ନେଇ ସେ ଭକ୍ତର ଟେକ ରଖିଛନ୍ତି, ତ ପୁଣି କେତେବେଳେ କେଉଁ ଅଲୈାକିକତା ଦେଖାଇ ଭକ୍ତର ମନସ୍କାମନା ପୂରା କରିଛନ୍ତି । ଦିନେ ସାଲବେଗଙ୍କ ପାଇଁ ନନ୍ଦିଘୋଷ ଅଟକିଥିଲା, ଆଜି ନନ୍ଦିଘୋଷ ଗଡ଼ାଇବାକୁ ଛାତ୍ର ଆଫ୍ତାବ୍ ପ୍ରୟାସ କରୁଛନ୍ତି । ଏହି ଛାତ୍ର ଜଣଙ୍କ ହେଲେ ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମ ନାରାୟଣୀପାଟଣା ସାହିର ଇମ୍ଦାଦ୍ ହୋସେନ ଖାନ୍ ଏବଂ ରସିଦା ବେଗମ୍ଙ୍କ ପୁଅ ଆଫତାବ୍ ହୋସେନ୍ (୧୯) । ଆବ୍ତାଫ୍ ଏବେ ଅର୍ଥଶାସ୍ତ୍ର ଉପ ସ୍ନାତକ ୩ୟ ବର୍ଷର ଛାତ୍ର । ଆଫ୍ତାବ୍ଙ୍କ ବାପା ଜଟଣୀ ସେଣ୍ଟ୍ରାଲ୍ ବ୍ୟାଙ୍କରେ ଗନମ୍ୟାନ୍ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ମାଆ ଗୃହିଣୀ । ସୂଚନାନୁସାରେ, ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାରୀ ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ଭୟାବହତା ଦେଖିବାକୁ ମିଳିଛି । ଯାହାକୁ ନେଇ ଚଳିତ ବର୍ଷ ରଥଯାତ୍ରା ବନ୍ଦ କରିବାକୁ ପ୍ରଥମେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଯାହା ତାଙ୍କ ମନରେ ଗଭୀର ଆଘାତ ଦେଇଥିବା ବେଳେ ସେ ପୁରୀର ଆଇନଜୀବୀ ପ୍ରଣୟ ମହାପାତ୍ରଙ୍କ ସହ ଆଲୋଚନା କରି ନିଜେ ପକ୍ଷଭୁକ୍ତ ହୋଇଥିଲେ । ଏହି ମାମଲାରେ ପକ୍ଷ ହୋଇଥିବା ଓଡ଼ିଶାର ଅନ୍ୟ କେତେଜଣଙ୍କ ମଧ୍ୟରୁ ଆଫ୍ତାବ୍ ହେଉଛନ୍ତି ଅନ୍ୟତମ । ସୁପ୍ରିମ୍କୋର୍ଟ ତାଙ୍କ ରାୟରେ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ଶୁଣାଇଥିବା ବେଳେ ଆଫ୍ତାବ୍ ଏହି ନିଷ୍ପତ୍ତକୁ ପରିବର୍ତ୍ତନ କରିବା ପାଇଁ ପୁନଃ ଆବେଦନ କରିଛନ୍ତି । ଏକ ମୁସଲିମ୍ ପରିବାରରେ ଜନ୍ମ ଗ୍ରହଣ କରିଥିବା ଯୁବକଙ୍କ ଏଭଳି ପ୍ରୟାସକୁ ସାରା ରାଜ୍ୟବାସୀ ପ୍ରଂଶସା କରୁଥିବା ବେଳେ ବାସ୍ତବରେ ତାଙ୍କୁ ଅନ୍ୟତମ ସାଲବେଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ଦୀର୍ଘ ବର୍ଷ ଧରି ଜଗନ୍ନାଥଙ୍କୁ ପୂଜା କରୁଥିବା ବେଳେ ରଥଯାତ୍ରା ମଧ୍ୟ କରନ୍ତି । ଆବ୍ତାଫ୍ଙ୍କ କହିବାନୁସାରେ, ସେ ତାଙ୍କ ଅଜାଙ୍କ ଦ୍ୱାରା ଅନୁପ୍ରାଣିତ । ବିଜିପୁର ଗ୍ରାମର ମୁତାଲବ୍ ଖାନ୍ ହେଉଛନ୍ତି ତାଙ୍କ ଅଜା । ୧୯୬୦ ମସିହା ବେଳକୁ ଇଟାମାଟି ଚିନି କାରଖାନାରେ ଜଗୁଆଳି ଭାବେ ନିଯୁକ୍ତି ପାଇ ସେ ଆସି ଏଠାରେ ଅବସ୍ଥାନ କରିଥିଲେ । କାଳକ୍ରମେ ଏହି ସ୍ଥାନଟି ସାହିରେ ପରିଣତ ହେବା ପରେ ସେ ଏହାକୁ ନାରାୟଣୀପାଟଣା ସାହି ନାମରେ ନାମିତ କରିବା ସହ ନିକଟରେ ତ୍ରିନାଥଠାକୁରଙ୍କ ପ୍ରତିମୂର୍ତ୍ତୀ ରଖି ପୂଜା କରୁଥିଲେ । ରାମାୟଣରେ ପାଣ୍ଡିତ୍ୟ ଲାଭ କରିଥିବା ଆଫ୍ତାବ୍ଙ୍କର ଅଜା ମୁତାଲବ୍ ଖାନ୍ଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଜଗନ୍ନାଥଙ୍କ ପ୍ରତି ତାଙ୍କୁ ଅହେତୁକ ଭକ୍ତି ସୃଷ୍ଟି ହୋଇଥିଲା । ମାତ୍ର ଗଣିତରେ ଦୁର୍ବଳ ଥିବା ଆଫ୍ତାବ୍ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଉଭିଦ୍ଦ ବିଜ୍ଞାନ ଅଧ୍ୟାପକ ବଂଶୀଧର ସାହୁଙ୍କଠାରୁ ଗଣିତ ଶିକ୍ଷା ଗ୍ରହଣ କରିବା ସମୟରେ ତାଙ୍କୁ ଜଗନ୍ନାଥଙ୍କ ମାର୍ଗ ମିଳିଥିଲା । ଏହି ସମୟରେ ବଂଶୀଧର ସାହୁଙ୍କ ପାଖରେ ରହିଥିବା ଅନେକ ବହି ପଢ଼ିବା ପରେ ସେ ଜଗନ୍ନାଥ ସଂସ୍କୃତି ବିଷୟରେ ବହୁ କିଛି ଜାଣିଥିବା, ଏପରିକି ଜଗନ୍ନାଥଙ୍କ ନୀତିକାନ୍ତି ସହ ଅନେକ ଶ୍ଲୋକ ମଧ୍ୟ ତାଙ୍କର ମୁଖସ୍ତ ରହିଥିବା ଜଣାଯାଇଛି । ଯାହା ଫଳରେ ୨୦୧୨ ମସିହାରୁ ୮ ବର୍ଷ ଧରି ସେ ଘରେ ଜଗନ୍ନାଥଙ୍କୁ ପୂଜା କରିବା ସହ ସାହିରେ ରଥଯାତ୍ରା କରିଥାନ୍ତି । ଏବେ ବି ମଧ୍ୟ ଜଗନ୍ନାଥ ସଂସ୍କୃତି ଅନୁସାରେ, ସେ ଘରେ ଜଗନ୍ନାଥଙ୍କୁ ଅଣସରରେ ରଖିଥିବା ଏବଂ ଆଗକୁ ନେତ୍ରତ୍ସୋବ କରିବେ ବୋଲି ଜଣାଯାଇଛି । ଚଳିତ ବର୍ଷ ମଧ୍ୟ ସେ ରଥଯାତ୍ରା କରିବା ପାଇଁ ଆଶାବାଦୀ ରହିଥିବା ବେଳେ ଏଥିରେ ରୋକ ଲାଗିବା ତାଙ୍କ ମନକୁ ଶକ୍ତ ଆଘାତ ଦେଇଛି । ଏତଦ୍ବ୍ୟତିତ ଗାଁରେ ଥିବା ଜଗନ୍ନାଥଙ୍କ ମନ୍ଦିରରେ ଆଫ୍ତାବ୍ ଘଣ୍ଟା ଘଣ୍ଟା ଧରି ବସୁଥିବା ଏବଂ ଜଗନ୍ନାଥଙ୍କ ପ୍ରତି ତାଙ୍କ ମନରେ ଅହେତୁକ୍ତ ଭକ୍ତି ରହିଥିବା ଜଣାଯାଇଛି । ତାଙ୍କର କହିବାନୁସାରେ, ଏ ଯବନ ଭକ୍ତର ମନ୍ଦିର ଯିବା ଲୋଡ଼ା ନାହିଁ ମଣିମା, ଆପଣ ସର୍ବଦା ମୋ ହୃଦୟରେ ବିରାଜମାନ । ଅନ୍ୟପକ୍ଷେ, ଆଫ୍ତାବ୍ ମୁସଲିମ୍ ସଂପ୍ରଦାୟର ସବୁ ପର୍ବ ମଧ୍ୟ ପାଳନ କରନ୍ତି । ଇଦ୍ ପାଳିବା, ନମାଜ୍ ପଢ଼ିବା ଏବଂ ମସ୍ଜିଦ୍ ଯିବାରେ ମଧ୍ୟ ସେ କେବେ କୁଣ୍ଠାବୋଧ କରନ୍ତି ନାହିଁ । ଗୋଟିଏ ପୋଖରୀରେ ଯେପରି ଚାରଟି ତୁଠରେ ଲୋକେ ଆସି ଗାଧୋଇ ଥାନ୍ତି, ଠିକ୍ ସେହିଭଳି ଭାବେ ଇଶ୍ୱରଙ୍କୁ ଯିଏ ଯେଉଁ ମାଧ୍ୟମରେ ଡାକି ପାରିବ ବୋଲି ସେ କୁହନ୍ତି । ଅନ୍ୟପକ୍ଷେ, ରଥଯାତ୍ରା ସଂମ୍ପର୍କରେ ତାଙ୍କର କହିବା କଥା ହେଉଛି କି, ସରକାର ପୁରୀ ସହରକୁ ସଟ୍ଡାଉନ୍ କରି ରଥଯାତ୍ରା କରି ପାରିବେ । ମାତ୍ର ସରକାରଙ୍କ ଦ୍ୱାରା ନିଯୁକ୍ତି ଓକିଲ ସୁପ୍ରିମ୍କୋର୍ଟରେ କୈାଣସି ଯୁକ୍ତି ଉପସ୍ଥାପନ କଲେ ନାହିଁ । ଯଦି ସରକାର ରଥଯାତ୍ରା କରି ପାରିବେ ନାହିଁ, ତେବେ ରଥ ନିର୍ମାଣରେ ଏତେ ପରିମାଣର ରାଜସ୍ୱ ଖର୍ଚ୍ଚ କରିବାର କୈାଣସି ଆବଶ୍ୟକତା ନଥିଲା । ଓଡ଼ିଶା ବିଶ୍ୱରେ ଜଗନ୍ନାଥଙ୍କୁ ନେଇ ପରିଚିତ । ରଥଯାତ୍ରାକୁ ନେଇ ପରିଚିତ । ନଅଙ୍କ ଦୁର୍ଭିକ୍ଷ ସମୟରେ ରଥଯାତ୍ରା ହୋଇପାରିଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ବନ୍ଦ କରି ସାରା ବିଶ୍ୱକୁ ଓଡ଼ିଶା ନିଜର ଅପାରଗତାର ପରିଚୟ ଦେବା କେତେଦୂର ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି । ପୁରୀ ସହରକୁ ସଟ୍ଡାଉନ୍ କରି ଜଗନ୍ନାଥଙ୍କ ପରମ୍ପରା ପାଳନ କରିବା ଆବଶ୍ୟକ ବୋଲି କହିଛନ୍ତି । ଅନ୍ୟପକ୍ଷେ, ଭବିଷ୍ୟତରେ ସେ ପ୍ରାଶାସନିକ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଯଦି ଏପରି ହୁଏ, ତେବେ ସେ ପ୍ରଥମେ ବେକାରୀ ସମସ୍ୟା ଦୂର କରିବା ଦିଗରେ କାମ କରିବେ ଏବଂ ଜଗନ୍ନାଥ ସଂସ୍କୃତିର କିଭଳି ପ୍ରଚାର ହୋଇପାରିବ ସେ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଆଫ୍ତାବ୍ଙ୍କ ଏଭଳି ଜଗନ୍ନାଥଙ୍କ ପ୍ରତି ଭକ୍ତି ଏବଂ ଉଦ୍ୟମଙ୍କୁ ତାଙ୍କ ମାଆ ଉତ୍ସାହିତ କରିବା ସହ ପ୍ରେରଣା ଦେଉଥିବା ଜଣାଯାଇଛି ।






