କୋଣାର୍କ, (ବାଘୁଆବାର୍ତ୍ତା): ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ନିକଟରେ ଦୁର୍ଘଟଣା। ରାତି ପ୍ରାୟ ୪ଟାରେ ଲୋଟସ ବୁଲାଣି ପାଖରେ ଏକ କାର୍କୁ ଏକ ହାଇୱା ଧକ୍କା ଦେଇଛି। ଫଳରେ କାର୍ଟି ହୁତୁହୁତୁ ହୋଇ ଜଳିଯାଇଛି। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ପୁରୀରୁ ୩ଜଣ ସାଥି ହୋଇ ଏକ କାର୍ ଯୋଗେ କୋଣାର୍କ ଆସୁଥିଲେ। ରାତି ୪ଟାରେ ବେଳାମାର୍ଗ ଲୋଟସ ବୁଲାଣି ପାଖରେ ଏକ ହାଇୱା କାର୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କାର୍ଟି ଓଲଟି ପଡି ରାସ୍ତା ପାର୍ଶ୍ୱ ଜଙ୍ଗଲ ଭିତରକୁ ପଶି ଯାଇଥିଲା। ନିଆଁ ଲାଗି କାର୍ଟି ହୁତୁହୁତୁ ହୋଇ ଜଳି ଯାଇଥିଲା। ଖବରପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ କାରଟି ଅଧା ଜଳି ଯାଇଥିଲା। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଚିକିତ୍ସା ଚାଲିଛି। ଚନ୍ଦ୍ରଭାଗା ମେରାଇନ ପୋଲିସ ପହଞ୍ଚି କାର୍ ଜବତ କରି ତଦନ୍ତ ଚଳାଇଥିବା ଆଇଆଇସି ପ୍ରତିମା ସାହୁ କହିଛନ୍ତି।





