ଦୁର୍ଘଟଣାରେ ୪ ମୃତ୍ୟୁ ଘଟଣା (ଦେଖନ୍ତୁ ଭିଡିଓ)
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ କରଡ଼ା ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣାରେ ମୃତ ସ୍ୱାମୀ ସ୍ତ୍ରୀଙ୍କ ଶବ ଆଜି ଗୋଟିଏ ଜୁଇରେ ଜଳିଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ସମସ୍ତଙ୍କ ଶବ ବ୍ୟବେଚ୍ଛଦ କରାଯିବା ପରେ ସଂମ୍ପର୍କୀୟଙ୍କ ହସ୍ତାନ୍ତର କରାଯାଇଥିଲା । ଏକ ଶୋକାକୂଳ ପରିବେଶ ମଧ୍ୟରେ ଗ୍ରାମରେ ଚାରଟି ଶବ ଶୋଭାଯାତ୍ରରେ ଶବ ଗ୍ରାମ ପରିକ୍ରମା କରାଯାଇ ସ୍ମଶାନକୁ ନିଆଯାଇଥିଲା । ନୀତି ନିୟମନୁସାରେ, ସ୍ୱାମୀ ଓ ସ୍ତ୍ରୀଙ୍କ ପାଇଁ ସ୍ମଶାନରେ ଗୋଟିଏ ଜୁଇ ପ୍ରସ୍ତୁତ କରାଯାଇଥିବା ବେଳେ ଅନ୍ୟ ଏକ ଜୁଇ ନାବାଳକ ପୁଅ ପାଇଁ ପ୍ରସ୍ତୁତ କରାଯାଇଥିଲା । ଡ୍ରାଇଭର ସନ୍ତୋଷଙ୍କ ପାଇଁ ମଧ୍ୟ ଆଉ ଏକ ଜୁଇ ପ୍ରସ୍ତୁତ କରାଯାଇଥିଲା । ଚିରଞ୍ଜିବୀଙ୍କ ପୁତୁରା ପରିବାରର ତିନିଜଣଙ୍କୁ ମୁଖାଗ୍ନି ଦେଇଥିଲେ ।

ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ କରଡ଼ା ନିକଟରେ ଦୁର୍ଘଟଣା ଘଟି ନନ୍ଦିଘୋରଠାରେ ଅବସ୍ଥିତ ଜୟ ଜଗନ୍ନାଥ ରାଇସ ମିଲ ମାଲିକ ଚିରଞ୍ଜିବୀ ସାହୁ (୪୪), ତାଙ୍କ ପôତୀ ମଧୁସ୍ମିତା ସାହୁ (୩୫), ପୁଅ ଆଦିତ୍ୟ କୁମାର ସାହୁ (୧୧) ଏବଂ ଗାଡ଼ି ଡ୍ରାଇଭର ସନ୍ତୋଷ କୁମାର ନାୟକ ମୃତ୍ୟୁ ବରଣ କରିଛନ୍ତି । ଚିରଞ୍ଜିବୀ ଗତକାଲି ତାଙ୍କ ପରିବାର ସହ ହୋଣ୍ଡା କାର ଯୋଗେ ଭୂବନେଶ୍ୱର ଯାଇଥିଲେ । ଭୂବନେଶ୍ୱରରେ ତାଙ୍କ କାମ ସାରିବା ପରେ ଝିଅଙ୍କୁ ନୟାଗଡ଼ର ଏକ ଘରୋଇ ହଷ୍ଟେଲରେ ଛାଡ଼ି ରାତି ଏଗାରଟା ବେଳକୁ ଗ୍ରାମ ଅଭିମୂଖେ ଯାଉଥିବା ବେଳେ କରଡ଼ା ନିକଟରେ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବେଚ୍ଛଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବା ପରେ ଗ୍ରାମରେ ଏକ ଶୋକାକୂଳ ପରିବେଶରେ ଶବ ସଂସ୍କାର କରାଯାଇଛି । ହଜାର ହଜାର ଲୋକ ଏହି ଶୋକାକୂଳ ପରିବେଶକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ ।






